ଆସନ୍ତା ୧୪ରେ ରାଜ୍ୟରେ ମିଳିବ ପ୍ରଧାନମନ୍ତ୍ରୀ ଆବାସ : ମନ୍ତ୍ରୀ

ଭୁବନେଶ୍ୱର, ୧୨/୧୧ : ପକ୍କା ଘର ସ୍ୱପ୍ନ ଦେଖୁଥିବା ଲକ୍ଷ ଲକ୍ଷ ହିତାଧିକାରୀଙ୍କ ପାଇଁ ଖୁସି ଖବର। ଆସନ୍ତା ୧୪ ତାରିଖରେ ରାଜ୍ୟରେ ଆବଣ୍ଟନ ହେବ ଅତିରିକ୍ତ ୨ ଲକ୍ଷ ୯୧ ହଜାର ୬୬୬ଟି ପକ୍କା ଘର। ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧୀନରେ ଏହି ଘର ଆବଣ୍ଟନ କରାଯିବ। ଏନେଇ ସୂଚନା ଦେଇଛନ୍ତି ପଞ୍ଚାୟତିରାଜ ବିଭାଗ ମନ୍ତ୍ରୀ ରବି ନାରାୟଣ ନାଏକ। ବଲାଙ୍ଗିର ଜିଲ୍ଲା ମୁଖ୍ୟାଳୟରେ ଆୟୋଜିତ ହେବାକୁ ଥିବା ମୁଖ୍ୟ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଶିବରାଜ ସିଂ ଚୌହ୍ୱାନ ଯୋଗଦେଇ ହିତାଧିକାରୀଙ୍କୁ ଘର ଆବଣ୍ଟନ କରିବେ। ଏଥିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ଉପସ୍ଥିତ ରହିବେ। କେବଳ ବଲାଙ୍ଗିର ନୁହେଁ, ରାଜ୍ୟର ସମସ୍ତ ଜିଲ୍ଲା, ବ୍ଲକ ଓ ପଞ୍ଚାୟତ ସ୍ତରରେ ଏକକାଳୀନ ଏହି କାର୍ଯ୍ୟକ୍ରମ ଆୟୋଜନ ହେବ। ଆବାସ ଯୋଜନାରେ ପୂର୍ବରୁ ୪ ଲକ୍ଷ ଘର ଏବଂ ଅନ୍ତ୍ୟୋଦୟ ଯୋଜନାରେ ୫ ଲକ୍ଷ ଘର ମିଳିଛି। ଏବେ ଅତିରିକ୍ତ ୨.୯୧ ଲକ୍ଷରୁ ଅଧିକ ଘର ଆବଣ୍ଟନ ହେବାକୁ ଯାଉଥିବାରୁ ଗରିବ ଓ ଆବାସହୀନ ପରିବାରଙ୍କ ମଧ୍ୟରେ ନୂଆ ଆଶା ସଞ୍ଚାର ହୋଇଛି।