ନୂଆଦିଲ୍ଲୀ, ୧୨/୧୧ : ନେପାଳର ମକୱାନପୁର ଜିଲ୍ଲାରେ ଏକ ଭୀଷଣ ସଡ଼କ ଦୁର୍ଘଟଣା ଘଟିଛି। ଭିମ୍ଫେଡି ଗ୍ରାମୀଣ ନଗରପାଳିକା-୬ ଅନ୍ତର୍ଗତ ଚିସାପାନି ଗଢ଼ି ନିକଟରେ ଏକ ଯାତ୍ରୀବାହୀ ଇଲେକ୍ଟ୍ରିକ୍ ଭ୍ୟାନ୍ ଭାରସାମ୍ୟ ହରାଇ ଏକ ଗଭୀର ଖାଲକୁ ଖସି ପଡ଼ିବାରୁ ୧୦ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଚାରି ଜଣ ଆହତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ପାଞ୍ଚ ଜଣ ପୁରୁଷ, ତିନି ଜଣ ମହିଳା ଏବଂ ଦୁଇ ଜଣ ଶିଶୁ ଅଛନ୍ତି। ଆର୍ମଡ୍ ପୋଲିସ୍ ଫୋର୍ସର ଅଧୀକ୍ଷକ ନିଭାନ କୁମାର ଖଡ଼କା କହିଛନ୍ତି ଯେ ରାଜଧାନୀ କାଠମାଣ୍ଡୁରୁ ଦକ୍ଷିଣ ସର୍ଲାହି ଜିଲ୍ଲାର ମୁଖ୍ୟାଳୟ ମଲାଙ୍ଗୱା ଅଭିମୁଖେ ଯାଉଥିବା ଯାତ୍ରୀବାହୀ ଗାଡ଼ିରେ ୧୫ ଜଣ ଲୋକ ଥିଲେ। ଗୁରୁବାର ସକାଳେ ଭିମ୍ଫେଡି ଗ୍ରାମୀଣ ନଗରପାଳିକା-୬ ର ଚିସାପାନି ଗଢ଼ି ଅଞ୍ଚଳରେ ଭ୍ୟାନ୍ଟି ରାସ୍ତାରୁ ପ୍ରାୟ ୭୦୦ ମିଟର ତଳକୁ ଖସି ପଡ଼ିଥିଲା। ଫଳରେ ଘଟଣା ସ୍ଥଳରେ ୧୦ ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇଥିଲା । ଅନ୍ୟ ଯାତ୍ରୀଙ୍କୁ ଉଦ୍ଧାର କରାଯାଇ ତୁରନ୍ତ ନିକଟସ୍ଥ ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ଆହତମାନଙ୍କ ମଧ୍ୟରୁ ତିନି ଜଣ ବାଗମତୀ ପ୍ରଦେଶର ରାଜଧାନୀରେ ଅବସ୍ଥିତ ହେଟୌଡ଼ା ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଦୁର୍ଘଟଣାର କାରଣ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ।