ଭୁବନେଶ୍ୱର, ୧୪/୦୫ : ଭଦ୍ରକରେ ଭିଜିଲାନ୍ସର ବଡ଼ ଆକ୍ସନ୍। କାଡା ଡିଭିଜନରେ କାର୍ଯ୍ୟରତ ଜୁନିୟର ଇଞ୍ଜିନିୟର ବିଜୟ କୁମାର ମହାନ୍ତିଙ୍କ ବିରୋଧରେ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ ଆସିବା ପରେ ଗୁରୁବାର ସକାଳୁ ଏକାସାଥିରେ ଚାରିଟି ସ୍ଥାନରେ ଚଢ଼ାଉ ଆରମ୍ଭ କରିଛି ଭିଜିଲାନ୍ସ ବିଭାଗ। ଏହି ହାଇପ୍ରୋଫାଇଲ୍ ରେଡ୍କୁ ନେଇ ଭଦ୍ରକରେ ଚର୍ଚ୍ଚା ଜୋର ଧରିଛି। ଭଦ୍ରକ ସମରାଇପୁର ଅଞ୍ଚଳରେ ଥିବା ବିଜୟ ମହାନ୍ତିଙ୍କ ତିନି ମହଲା ବିଶିଷ୍ଟ ଆଲିଶାନ୍ ବାସଭବନ, ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ନରସିଂହଦିଆ ଗାଁରେ ଥିବା ଦୁଇ ମହଲା ଘର, ଭଦ୍ରକ ସ୍ଥିତ ସରକାରୀ କାର୍ଯ୍ୟାଳୟ ଏବଂ ଭୁବନେଶ୍ୱର ମାଳିପଡ଼ାରେ ଥିବା ଜଣେ ସମ୍ପର୍କୀୟଙ୍କ ଘରେ ଏକକାଳୀନ ଚଢ଼ାଉ କରାଯାଇଛି।
ସ୍ପେଶାଲ୍ ଭିଜିଲାନ୍ସ ଜଜ୍, ବାଲେଶ୍ୱରଙ୍କ ସର୍ଚ୍ଚ ୱାରେଣ୍ଟ ଆଧାରରେ ଏହି ରେଡ୍ କରାଯାଉଛି। ଭଦ୍ରକ ଭିଜିଲାନ୍ସ ଡିଏସପି ଦୁଷ୍ମନ୍ତ ନାୟକଙ୍କ ନେତୃତ୍ୱରେ ଚାରିଜଣ ଡିଏସପି, ଚାରିଜଣ ଇନ୍ସପେକ୍ଟର ଓ ଅନ୍ୟାନ୍ୟ କର୍ମଚାରୀଙ୍କୁ ନେଇ ଏହି ତଦନ୍ତ ଚାଲିଛି। ଭିଜିଲାନ୍ସ ଟିମ୍ ପକ୍ଷରୁ ଜମି, ଘର, ବ୍ୟାଙ୍କ ଜମା, ଆର୍ଥିକ ନେଣଦେଣ ଓ ଅନ୍ୟାନ୍ୟ ସମ୍ପତ୍ତି ସମ୍ବନ୍ଧୀୟ ଦସ୍ତାବେଜ ଯାଞ୍ଚ କରାଯାଉଛି। ରେଡ୍ ଚାଲିଥିବାରୁ ଆହୁରି ଚମକପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିପାରେ ବୋଲି ଅନୁମାନ କରାଯାଉଛି। ଭଦ୍ରକରେ ଏହି ଚଢ଼ାଉ ଏବେ ସବୁଠୁ ବଡ଼ ଚର୍ଚ୍ଚାର ବିଷୟ ପାଲଟିଛି।