ମାତ୍ର ୧୧ ଟଙ୍କାରେ କରୋନା ରୋଗୀଙ୍କ ପାଇଁ ଆମ୍ବୁଲାନ୍ସ ସେବା

ସମ୍ବଲପୁର,୨୧ /୬ : ସମ୍ବଲପୁରର ‘ସାଥି ଚାରିଟେବଲ ଟ୍ରଷ୍ଟ’ ତରଫରୁ କରୋନା ରୋଗୀଙ୍କ ସୁବିଧା ପାଇଁ ମାତ୍ର ୧୧ ଟଙ୍କାରେ ଆମ୍ବୁଲାନ୍ସ ସେବା ଆରମ୍ଭ କରାଯାଇଛି। ଜନତାଙ୍କ ସ୍ୱାସ୍ଥ୍ୟକୁ ଲକ୍ଷ୍ୟ କରାଯାଇ ‘ବିଶ୍ୱ ଯୋଗ ଦିବସ’ ପାଳନ ଅବସରରେ ସମ୍ବଲପୁର ମହାନଗର ନିଗମ ନିବାସୀଙ୍କ ସୁବିଧା ପାଇଁ ଅମ୍ଲଜାନ ଯୁକ୍ତ ଆମ୍ବୁଲାନ୍ସ ସେବା ଆରମ୍ଭ କରାଯାଇଛି। ସ୍ଥାନୀୟ ମହାନଗର ନିଗମ କାର୍ଯ୍ୟାଳୟ ନିକଟରେ ଆୟୋଜିତ ଲୋକାର୍ପଣ ଉତ୍ସବରେ ପଣ୍ଡିତ ପ୍ରକାଶ ରାୟ ପୁଜାର୍ଚ୍ଚନା କରିବା ପରେ ଟ୍ରଷ୍ଟର ପ୍ରତିଷ୍ଠାତା ତଥା ସମାଜସେବୀ ଶତ୍ରୁଘ୍ନ ଲାଲ ସାହା ନଡିଆ ଭାଙ୍ଗି ଓ ଫିତା କାଟି ଏହି ମାନବୀୟ ସେବାର ଶୁଭାରମ୍ଭ କରିଥିଲେ। ଏହି ଅବସରରେ ଟ୍ରଷ୍ଟର ପ୍ରତିଷ୍ଠାତା ଶତ୍ରୁଘ୍ନ ଲାଲ କହିଛନ୍ତି ଯେ, ଏହି ସେବା ସମ୍ପୁର୍ଣ୍ଣ ମାଗଣା ରହିଥିବା ବେଳେ ନାମକୁ ମାତ୍ର ୧୧ ଟଙ୍କା ଭଡା ବାବଦରେ ନିଆଯିବ ଏବଂ ଭଡା ବାବଦରେ ଆଦାୟ ଅର୍ଥର ଉପଯୋଗ ମଧ୍ୟ ମାନବୀୟ ସେବା କାର୍ଯ୍ୟରେ ଲଗାଯିବ।

ଉକ୍ତ କାର୍ଯ୍ୟକ୍ରମରେ ସମାଜସେବୀ ଶ୍ୟାମ ସୁନ୍ଦର ଅଗ୍ରୱାଲ, ଆଇନଜୀବୀ ମଧୁସୁଦନ ମିତ୍ର, ଶିବ ପ୍ରଧାନ, ମୁରାରୀ ସୋନୀ, ଭଗତ ସିଂ, ସତ୍ୟେନ୍ଦ୍ର ଦାଶ, ମଧୁସୁଦନ କେଡିଆ, ସମରଜିତ ପଟ୍ଟନାୟକ ଙ୍କ ସମେତ ଅନ୍ୟ ମାନେ ଉପସ୍ଥିତ ରହିଥିଲେ। ଏହି ସେବା ୨୪ ଘଣ୍ଟା ଉପଲବ୍ଧ ରହିବା ସହିତ ସେବା ଆବଶ୍ୟକ କରୁଥିବା ବ୍ୟକ୍ତିଙ୍କ ପାଇଁ ଦୁଇଟି ସହାୟତା ମୋବାଇଲ ନମ୍ବର ୯୧୭୮୧୭୧୯୯୯ ଓ ୮୬୫୮୮୨୯୯୦୯ ଜାରି କରାଯାଇଛି।