ନୂଆଦିଲ୍ଲୀ,୨୯/୬: ସଂସଦର ମୌସୁମୀ ଅଧିବେଶନ ୧୯ ଜୁଲାଇରୁ ଆରମ୍ଭ ହୋଇ ଅଗଷ୍ଟ ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ । ସୂଚନାଅନୁସାରେ ପାଖାପଖି ଏକମାସ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଅଧିବେଶନ କାଳରେ ଅନୁନ୍ୟ ୨୦ଟି ବୈଠକ ହେବ। ସଂସଦର ଏହି ଅଧିବେସନ ପ୍ରାୟତଃ ଜୁଲାଇ ତୃତୀୟ ସପ୍ତାହ ବେଳକୁ ଆରମ୍ଭ ହୋଇଥାଏ ଓ ସ୍ୱାଧୀନତା ଦିବସ ପାଖାପାଖି ଶେଷ ହୁଏ। ଏଣୁ ସଂସଦୀୟ ବ୍ୟାପାର ସମ୍ପର୍କିତ ମନ୍ତ୍ରୀମଣ୍ଡଳ କମିଟି ଆଗାମୀ ସଂସଦ ସତ୍ର ଲାଗି ସୁପାରିଶ କରିଥିବା ଜଣାପଡିଛି।
ତେବେ ସଂସଦ ଅଧିବେଶନରେ କୋଭିଡ-୧୯ ସମ୍ପର୍କିତ ସମସ୍ତ ପ୍ରୋଟକଲର କଡ଼ାକଡ଼ି ପାଳନ ହେବ ବୋଲି କୁହାଯାଇଛି। ଏଥିରୁ ସଂସଦ ଅଧିବେଶନ ଆରମ୍ଭ ବେଳକୁ ଭବନ ପରିସରକୁ ପ୍ରବେଶ କରିବାକୁ ଥିବା ସମସ୍ତ ମନ୍ତ୍ରୀ, ସାଂସଦ ଓ ଅଧିକାରୀ, କର୍ମଚାରୀ ଟିକାର ଅନୁନ୍ୟ ଗୋଟିଏ ଗୋଟିଏ ଡୋଜ ନେଇ ସାରିଥିବେ ବୋଲି ଆଶା କରାଯାଉଛି। ଦେଶରେ କରୋନା ଦ୍ୱିତୀୟ ଲହରର ପ୍ରକୋପ କ୍ରମଶଃ ଥମି ଆସୁଥିବା ପରି ଲାଗୁଛି। ପ୍ରାୟ ୧୦୨ ଦିନ ପରେ ଏବେ ଦେଶରେ ଦୈନିକ ସଂକ୍ରମଣ ସଂଖ୍ୟା ୪୦ ହଜାରରୁ କମ୍ ହେଉଥିବା ଦେଖାଯାଉଛି।