ଭୁବନେଶ୍ୱର, ୧୧/୦୯ : ଦୁଇ ଉପମୁଖ୍ୟମନ୍ତ୍ରୀଙ୍କୁ ନେଇ PIL ଖାରଜ । ଉପମୁଖ୍ୟମନ୍ତ୍ରୀ ପଦର ଅର୍ଥ ଓ ମନ୍ତୀଙ୍କ ଠାରୁ ଅଧିକ ସାମ୍ବିଧାନିକ କ୍ଷମତା ପ୍ରସଙ୍ଗରେ ଓଡ଼ିଶା ହାଇକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ସ୍ପଷ୍ଟୀକରଣ । ଉପମୁଖ୍ୟମନ୍ତ୍ରୀ’ କେବଳ ଏକ ପଦବୀ। ପ୍ରୋଟୋକଲ ଅଛି କିନ୍ତୁ ଅତିରିକ୍ତ କ୍ଷମତା ନାହିଁ ବୋଲି କହିଛନ୍ତି ହାଇକୋର୍ଟ। ଓଡ଼ିଶାରେ ଦୁଇ ଉପମୁଖ୍ୟମନ୍ତ୍ରୀଙ୍କ ପଦକୁ ନେଇ ଏଲିନା ଦାଶ ଏକ ଜନସ୍ୱାର୍ଥ ମାମଲା ଦାୟର କରିଥିଲେ। ଆବେଦନରେ ଅଭିଯୋଗ କରାଯାଇଥିଲା ଯେ ଉପମୁଖ୍ୟମନ୍ତ୍ରୀଙ୍କୁ ଅନ୍ୟ ମନ୍ତ୍ରୀଙ୍କଠାରୁ ଉଚ୍ଚ ସ୍ଥାନ, ସ୍ୱତନ୍ତ୍ର ପ୍ରୋଟୋକଲ ଓ ଅଧିକ କ୍ଷମତା ଦିଆଯାଉଛି। ଏହା ସମ୍ବିଧାନର ଅନୁଚ୍ଛେଦ ୧୬୩ ଓ ୧୬୪ର ଉଲ୍ଲଂଘନ ବୋଲି ଆବେଦନକାରୀ ଦର୍ଶାଇଥିଲେ। ମୁଖ୍ୟ ବିଚାରପତି ଜଷ୍ଟିସ ହରିଶ ଟଣ୍ଡନ ଓ ଜଷ୍ଟିସ ଚିତ୍ତରଞ୍ଜନ ଦାଶଙ୍କ ଖଣ୍ଡପୀଠ ଏହାର ଶୁଣାଣି କରି କହିଛନ୍ତି ଯେ, ଉପମୁଖ୍ୟମନ୍ତ୍ରୀ ପଦବୀ ମାତ୍ର ଏକ ବର୍ଣ୍ଣନାତ୍ମକ ନାମକରଣ।
ଏହା ମନ୍ତ୍ରିପରିଷଦର ଅନ୍ୟ ସଦସ୍ୟଙ୍କ ତୁଳନାରେ କୌଣସି ଅତିରିକ୍ତ ସାଂବିଧାନିକ କ୍ଷମତା କିମ୍ବା ପ୍ରାଧାନ୍ୟ ଦିଏ ନାହିଁ। ଏହାକୁ ବୁଝିବା ପାଇଁ ସରଳ ଉଦାହରଣ ହେଉଛି, କାହାକୁ ଉପମୁଖ୍ୟମନ୍ତ୍ରୀ କୁହାଗଲେ ସେ ମୁଖ୍ୟମନ୍ତ୍ରୀଙ୍କ କ୍ଷମତା ପାଇଯାଆନ୍ତି ନାହିଁ। ସେ ମନ୍ତ୍ରିପରିଷଦର ଜଣେ ମନ୍ତ୍ରୀ ହିସାବରେ ହିଁ କାର୍ଯ୍ୟ କରନ୍ତି। ଏହି ପ୍ରସଙ୍ଗରେ ହାଇକୋର୍ଟ ସୁପ୍ରିମକୋର୍ଟଙ୍କ କେ.ଏମ୍. ଶର୍ମା ବନାମ ଶ୍ରୀ ଦେବୀ ଲାଲ ମାମଲାର ରାୟକୁ ମଧ୍ୟ ଉଲ୍ଲେଖ କରିଛନ୍ତି। ସେହି ରାୟରେ ମଧ୍ୟ ସ୍ପଷ୍ଟ କରାଯାଇଥିଲା ଯେ ଉପମୁଖ୍ୟମନ୍ତ୍ରୀ ପଦବୀ ଜଣେ ମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ କ୍ଷମତା ପ୍ରଦାନ କରେ ନାହିଁ। ତେବେ ଉପମୁଖ୍ୟମନ୍ତ୍ରୀଙ୍କୁ ପ୍ରୋଟୋକଲରେ ଉଚ୍ଚ ସ୍ଥାନ ମିଳିଲେ ତାହାର ଅର୍ଥ କ’ଣ ବୋଲି ମଧ୍ୟ ସ୍ପଷ୍ଟ କରିଛନ୍ତି ହାଇକୋର୍ଟ। Table of Precedence ବା Warrant of Precedenceରେ ଦିଆଯାଇଥିବା ସ୍ଥାନ କେବଳ ଔପଚାରିକ ଓ ସରକାରୀ ଆନୁଷ୍ଠାନିକ କାର୍ଯ୍ୟକ୍ରମ ପାଇଁ। ପ୍ରୋଟୋକଲରେ ଉଚ୍ଚ ସ୍ଥାନ ମିଳିବାର ଅର୍ଥ ଶାସନ ବ୍ୟବସ୍ଥାରେ ଅଧିକ ସାଂବିଧାନିକ କ୍ଷମତା ମିଳିବା ନୁହେଁ। ଏହି ସବୁ ଦିଗକୁ ବିଚାର କରି ଓଡ଼ିଶାର ଦୁଇ ଉପମୁଖ୍ୟମନ୍ତ୍ରୀଙ୍କ ପଦକୁ ନେଇ ଦାୟର ଜନସ୍ୱାର୍ଥ ମାମଲାକୁ ହାଇକୋର୍ଟ ଖାରଜ କରିଛନ୍ତି। ଏଥିସହ ଜନସ୍ୱାର୍ଥ ମାମଲା ଦାୟର କରିବା ସମୟରେ ଆବଶ୍ୟକ ସତର୍କତା ଅବଲମ୍ବନ କରାଯିବା ଉଚିତ ବୋଲି ମଧ୍ୟ କୋର୍ଟ କହିଛନ୍ତି।