କରୋନା ସଂକ୍ରମଣ ବୃଦ୍ଧି ନେଇ ସତର୍କ ସୂଚନା, ସବୁ ଜିଲ୍ଲାପାଳଙ୍କୁ ଚିଠି

ଭୁବନେଶ୍ବର,୧୯ /୨: ଓଡ଼ିଶାରେ ପୁଣି କଡାକଡି ହେବ କୋଭିଡ୍ ନିୟମ । ମହାରାଷ୍ଟ୍ରରେ କୋଭିଡ୍ ସଂକ୍ରମଣ ବଢିବା ଏବଂ ଲକଡାଉନ୍ ଭଳି ସ୍ଥିତି ଉପୁଜିବା ପରେ ଏବେ ଓଡ଼ିଶାରେ ସତର୍କ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏ ନେଇ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ଚିଠି ଲେଖି ସବୁ ଜିଲ୍ଲାପାଳ, ମହାନଗର ନିଗମ ଓ ପୁଲିସ ବିଭାଗକୁ ସତର୍କ କରାଇଛନ୍ତି।

ଅତିରିକ୍ତ ମୁଖ୍ୟ ଶାସନ ସଚିବ କହିଛନ୍ତି ଯେ, ମହାରାଷ୍ଟ୍ର ସମେତ କିଛି ରାଜ୍ୟରେ କରୋନା ଭାଇରସଜନିତ ସଂକ୍ରମଣ ବଢ଼ିଥିବାରୁ ଆମ ରାଜ୍ୟରେ ବି ଏହା ପୁଣି ଥରେ ବଢ଼ିପାରେ। ଯଦି ଆମେ ଆବଶ୍ୟକ ସତର୍କତାମୂଳକ ପଦକ୍ଷେପ ନ ନେବା ତା’ହେଲେ ଆମ ରାଜ୍ୟରେ ମଧ୍ୟ କରୋନା ସଂକ୍ରମଣ ପୁଣି ଥରେ ବଢ଼ିବାର ଆଶଙ୍କା ଦେଖାଯାଉଛି। ଚିଠିରେ ସେ ଉଲ୍ଲେଖ କରିଛନ୍ତି ଯେ, ସଂକ୍ରମଣ ଯେଭଳି ନ ବଢ଼ିବ, ସେଥିପାଇଁ କଡ଼ା ପଦକ୍ଷେପ ନେବାକୁ ହେବ। ଜନଗହଳି ସ୍ଥାନରେ କଟକଣା ଲଗାଯିବା ସହିତ ଟେଷ୍ଟିଂକୁ ଗୁରୁତ୍ବ ଦିଆଯିବ।