ଭୁବନେଶ୍ୱର, ୨୪/୧୦ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଓଡ଼ିଶା ଗସ୍ତକୁ ନେଇ ରାଜଧାନୀରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଆସନ୍ତାକାଲି ମୋଦି ଭୁବନେଶ୍ୱରରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ। ଏଥିପାଇଁ ଭୁବନେଶ୍ୱରରୁ ଜଟଣୀ ପର୍ଯ୍ୟନ୍ତ ସୁରକ୍ଷା ବ୍ୟବସ୍ଥାକୁ ମଜଭୁତ କରାଯାଇଛି। ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ଦାୟିତ୍ୱରେ ମୋଟ ୭୦ ପ୍ଲାଟୁନ୍ ପୋଲିସ ଫୋର୍ସ ନିୟୋଜିତ ହେବେ। ଏହାସହ ୨୨୩ ଜଣ ଏସ୍ଆଇ ଓ ଏଏସ୍ଆଇ, ୭୧ ଜଣ ଆଇଆଇସି ଏବଂ ୩୭ ଜଣ ଏଏସ୍ପି ଓ ଡିଏସ୍ପି ସୁରକ୍ଷା ବ୍ୟବସ୍ଥାରେ ରହିବେ। ୧୦ ଜଣ ଏସ୍ପି, ଡିସିପି ଓ କମାଣ୍ଡାଣ୍ଟ ପାହ୍ୟାର ଅଧିକାରୀ ସମଗ୍ର ବ୍ୟବସ୍ଥାର ତଦାରଖ କରିବେ।
ଏହି ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ଆର୍ବିଆଇ ଡାଟା ସେଣ୍ଟରର ଉଦ୍ଘାଟନ ସମେତ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ଯୋଗଦେବେ। ତାଙ୍କ ଯାତାୟାତ ରୁଟ୍ ଓ କାର୍ଯ୍ୟକ୍ରମସ୍ଥଳରେ ଯେପରି କୌଣସି ସମସ୍ୟା ନହୁଏ, ସେଥିପାଇଁ ପୋଲିସ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ମୋଦିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ରବିବାର ସନ୍ଧ୍ୟା ୫ଟା ୪୦ରୁ ୬ଟା ୪୦ ପର୍ଯ୍ୟନ୍ତ କେତେକ ରାସ୍ତାରେ ସାଧାରଣ ଯାନବାହନ ଚଳାଚଳ ବନ୍ଦ ରହିବ। କମିଶନରେଟ୍ ପୋଲିସ ପକ୍ଷରୁ ଜାରି ସୂଚନା ଅନୁସାରେ, ଆର୍ବିଆଇ ଡାଟା ସେଣ୍ଟରରୁ ଇନ୍ଫୋଭ୍ୟାଲି ଛକ, ତଳଖେତା ଛକ, ବାଟଭୁଆସୁଣୀ ଛକ ଦେଇ ଜାତୀୟ ରାଜପଥ-୧୬ ଓ ଜୟଦେବ ବିହାର ଛକ ପର୍ଯ୍ୟନ୍ତ ଟ୍ରାଫିକ୍ କଟକଣା ରହିବ।
ଏହାପରେ ବେହେରା ସାହି, ଶାସ୍ତ୍ରୀନଗର, ୧୨୦ ବାଟାଲିୟନ୍, ପାୱାର ହାଉସ୍ ଛକ, ଲୋକଭବନ ଗୋଲେଇ, ଏଜି ଛକ, ହସ୍ପିଟାଲ୍ ଛକ ଓ ସୂର କମ୍ପାନୀ ଛକ ଦେଇ ବିମାନବନ୍ଦର ରାସ୍ତା ପର୍ଯ୍ୟନ୍ତ କଟକଣା ଲାଗୁ ହେବ। ପୋଲିସ ପକ୍ଷରୁ ଯାତ୍ରୀମାନଙ୍କୁ ଏହି ରାସ୍ତାଗୁଡ଼ିକୁ ଏଡ଼ାଇ ବିକଳ୍ପ ରୁଟ୍ ବ୍ୟବହାର କରିବାକୁ କୁହାଯାଇଛି। ଯାତ୍ରା ପୂର୍ବରୁ ଯୋଜନା କରିବା ସହ ଅତିରିକ୍ତ ସମୟ ରଖିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି। ତେବେ ପୋଲିସ, ଅଗ୍ନିଶମ ଓ ଆମ୍ବୁଲାନ୍ସ ଭଳି ଜରୁରୀକାଳୀନ ଯାନବାହନ ଏହି କଟକଣାରୁ ବାଦ୍ ରହିବେ। ତେଣୁ ରବିବାର ଭୁବନେଶ୍ୱରରେ ଯାତାୟାତ କରିବା ପୂର୍ବରୁ ଟ୍ରାଫିକ୍ ନିର୍ଦ୍ଦେଶାବଳୀ ଜାଣି ନିଜ ଯାତ୍ରା ଯୋଜନା କରିବାକୁ ପୋଲିସ ପରାମର୍ଶ ଦେଇଛି।