ନୂଆଦିଲ୍ଲୀ, ୨୪/୧୦ : ରାଜୀବ ଗାନ୍ଧୀ ଆନ୍ତର୍ଜାତୀୟ ବିମାନବନ୍ଦର ରୁ ୧ କୋଟି ୫୬ ଲକ୍ଷ ଟଙ୍କା ମୂଲ୍ୟର ବିପୁଳ ବିଦେଶୀ ମୁଦ୍ରା ଜବତ କରାଯାଇଛି । ଡିଆରଆଇ ର ହାଇଦ୍ରାବାଦ ଜୋନାଲ ୟୁନିଟ୍ ର ଅଧିକାରୀମାନେ ଏହି ଚଢ଼ାଉ କରି ଦୁଇଜଣ ଭାରତୀୟ ପ୍ରସାଫରଙ୍କୁ ଗିରଫ କରିଛନ୍ତି । ଏହି ଦୁଇ ଯାତ୍ରୀ ଏୟାର ଏସିଆ ବିମାନ ଯୋଗେ ମାଲେସିଆର କୁଆଲାଲମ୍ପୁର ଅଭିମୁଖେ ଯାତ୍ରା କରିବାକୁ ପ୍ରସ୍ତୁତ ହେଉଥିଲେ । ଗୁପ୍ତ ସୂଚନା ଆଧାରରେ ଡିଆରଆଇ ଅଧିକାରୀମାନେ ପ୍ରଥମେ ଜଣେ ପୁରୁଷ ଯାତ୍ରୀଙ୍କୁ ଅଟକାଇ ତାଙ୍କ ଟ୍ରଲି ବ୍ୟାଗ ଯାଞ୍ଚ କରିଥିଲେ । ତାଙ୍କ ବ୍ୟାଗରୁ ପୋଷାକ ଭିତରେ କଳା ପ୍ଲାଷ୍ଟିକରେ ଲୁଚାଯାଇଥିବା ବିଦେଶୀ ମୁଦ୍ରା ମିଳିଥିଲା । ପୁରୁଷ ଯାତ୍ରୀଙ୍କୁ ପଚରାଉଚରା କରିବା ପରେ ସେହି ବିମାନରେ ଅଲଗା PNR ରେ ଯାତ୍ରା କରୁଥିବା ଜଣେ ମହିଳାଙ୍କ ସମ୍ପର୍କରେ ସୂଚନା ମିଳିଥିଲା । ପରେ ଅଧିକାରୀମାନେ ତାଙ୍କୁ ମଧ୍ୟ କାବୁ କରିଥିଲେ ଏବଂ ତାଙ୍କ ବ୍ୟାଗରୁ ମଧ୍ୟ ଲୁଚାଯାଇଥିବା ଡଲାର ଜବତ ହୋଇଥିଲା । ଉଭୟଙ୍କଠାରୁ ଜବତ ହୋଇଥିବା ମୋଟ ମୁଦ୍ରାର ମୂଲ୍ୟ ପ୍ରାୟ ୧.୫୬ କୋଟି ଟଙ୍କା । ଏହି ବିଦେଶୀ ମୁଦ୍ରାର ବୈଧ ପ୍ରମାଣପତ୍ର କିମ୍ବା କୌଣସି ଆଇନଗତ ଦସ୍ତାବିଜ ଦେଖାଇବାରେ ଉଭୟ ଯାତ୍ରୀ ବିଫଳ ହୋଇଥିଲେ । କଷ୍ଟମ୍ସ ଆକ୍ଟ, ୧୯୬୨ ଅନୁଯାୟୀ ସମସ୍ତ ଟଙ୍କା ଜବତ କରାଯିବା ସହ ଦୁହିଁଙ୍କୁ ଗିରଫ କରାଯାଇଛି ଏବଂ ଏହି ସ୍ମଗଲିଂ ପଛରେ ଆଉ କାହାର ହାତ ଅଛି ସେ ନେଇ ଅଧିକ ତଦନ୍ତ ଜାରି ରହିଛି ।