ଦୁଇଟି ସ୍ଥାନରୁ ୫ କୁଇଣ୍ଟାଲ ଗଞ୍ଜେଇ ଜବତ, ୪ ଗିରଫ

ଭୁବନେଶ୍ୱର, ୩୦/୦୭ : ସୋନପୁର ଅବକାରୀ ବିଭାଗକୁ ଏକ ବଡ଼ ସଫଳତା ମିଳିଛି । ପୃଥକ ପୃଥକ ଦୁଇଟି ସ୍ଥାନରେ ଚଢ଼ାଉ କରି ମୋଟ ୫ କୁଇଣ୍ଟାଲ ଗଞ୍ଜେଇ ଜବତ କରିବା ସହ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଅବକାରୀ ଆରକ୍ଷୀ ଅଧିକ୍ଷକ ପ୍ରବୀର କୁମାର ଶ୍ରୀମଲଙ୍କ ନିର୍ଦ୍ଦେଶକ୍ରମେ ସୋନପୁର ଅବକାରୀ ବିଭାଗ ପକ୍ଷରୁ ପେଟ୍ରୋଲିଂ କରାଯାଉଥିବା ବେଳେ ସୋନପୁର–ସମ୍ବଲପୁର ରାସ୍ତାର ପତ୍ରାପାଲି ନିକଟରେ ଏକ ଶୁଖିଲା ଲଙ୍କା ବୋଝେଇ ବୋଲେରୋ ପିକଅପ୍ ଗାଡ଼ିକୁ ସନ୍ଦେହରେ ଅଟକାଇ ଯାଞ୍ଚ କରାଯାଇଥିଲା । ଯାଞ୍ଚ ବେଳେ ଗାଡ଼ିର ଉପରେ ଶୁଖିଲା ଲଙ୍କା ବୋଝେଇ ଥିବାବେଳେ ତାହାର ତଳେ ଚତୁରତାର ସହ ଲୁଚାଇ ରଖାଯାଇଥିବା ପ୍ରାୟ ୪ କୁଇଣ୍ଟାଲ ଗଞ୍ଜେଇ ଜବତ କରାଯାଇଥିଲା। ଅବକାରୀ ସବ୍-ଇନ୍ସପେକ୍ଟର ଶାନ୍ତନୁ କୁମାର ପଟ୍ଟନାୟକଙ୍କ କହିବା ଅନୁଯାୟୀ, ପୋଲିସ ଓ ଅବକାରୀ ବିଭାଗକୁ ଚକମା ଦେବା ପାଇଁ ଗଞ୍ଜେଇକୁ ଶୁଖିଲା ଲଙ୍କା ତଳେ ଲୁଚାଇ ପରିବହନ କରାଯାଉଥିଲା । ଏହି ଘଟଣାରେ ଚକ୍ର ପାତ୍ର ଓ ଅଜିତ କର୍ଣ୍ଣଙ୍କୁ ଗିରଫ କରାଯାଇଛି। ସେହିପରି ବୀରମହାରାଜପୁର ଅବକାରୀ ବିଭାଗ ପକ୍ଷରୁ ରତପୁର ଛକରେ ଏକ କାର୍ କୁ ଯାଞ୍ଚ କରାଯାଇଥିଲା । ଗାଡ଼ିରୁ ପ୍ରାୟ ୧ କୁଇଣ୍ଟାଲ ଗଞ୍ଜେଇ ଜବତ ହେବା ସହ ଏହି ମାମଲାରେ ମଧ୍ୟ ଦୁଇ ଜଣଙ୍କୁ ଗିରଫ କରାଯାଇଛି । ଉଭୟ ମାମଲାରେ ଜବତ ଗଞ୍ଜେଇର ମୋଟ ପରିମାଣ ପ୍ରାୟ ୫ କୁଇଣ୍ଟାଲ ହୋଇଥିବା ବେଳେ ଅଭିଯୁକ୍ତମାନଙ୍କ ବିରୋଧରେ ଏନ୍ ଡିପିଏସ୍ ଆଇନ ଅନୁଯାୟୀ ମାମଲା ରୁଜୁ କରିଥିଲା।

SBI AD