ନିଜ ଦରମା ସ୍ପଷ୍ଟ କଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ : ଦେଶର ପ୍ରଥମ ନାଗରିକ ତଥା ରାଷ୍ଟ୍ରପତି ରାମନାଥ କୋବିନ୍ଦ ମାସକୁ ୫ ଲକ୍ଷ ଟଙ୍କା ଦରମା ପାଆନ୍ତି। କିନ୍ତୁ ସେଥିରୁ ତାଙ୍କୁ ମାସକୁ ୨ ଲକ୍ଷ ୭୫ ହଜାର ଟଙ୍କା ଟିକସ ଦେବାକୁ ପଡ଼ିଥାଏ। ଟ୍ରେନ ଯୋଗେ ଉତ୍ତର ପ୍ରଦେଶର ନିଜ ଗ୍ରାମକୁ ଗସ୍ତ ଅବସରରେ ରାଷ୍ଟ୍ରପତି ଏକ ସଭାରେ ଲୋକମାନଙ୍କୁ ଏହା କହିଛନ୍ତି। ସେ ତାଙ୍କ ମାସିକ ଆୟର ଅଧାରୁ ଅଧିକ ଟିକସ ଦେଉଥିବାରୁ ଲୋକଙ୍କୁ ମଧ୍ୟ ଦେଶର ବିକାଶମୂଳକ କାର୍ଯ୍ୟ ପାଇଁ ଠିକ୍‌ରେ ଟିକସ ଦେବାକୁ ଅନୁରୋଧ କରିଛନ୍ତି। ଟିକସ ପ୍ରଦାନ ପରେ ସେ ଯେତିକି ସଞ୍ଚୟ କରୁଛନ୍ତି ତାହା ତୁଳନାରେ ଲୋକ ବହୁତ ଅଧିକ ରୋଜଗାର କରୁଛନ୍ତି ବୋଲି ରାଷ୍ଟ୍ରପତି କହିଛନ୍ତି।

ସେ କହିଛନ୍ତି, ‘ସମସ୍ତେ ଜାଣନ୍ତି ମୋର ମାସିକ ବେତନ ‌ହେଉଛି ୫ ଲକ୍ଷ ଟଙ୍କା। କିନ୍ତୁ ଏଥିରେ ବି ଟିକସ ଲାଗେ। ଟିକସ ବାବଦରେ ମାସକୁ ୨ ଲକ୍ଷ ୭୫ ହଜାର ଟଙ୍କା ପଇଠ କ‌ରୁଛି। ଆଉ କେତେ ବଳିଲା? ମୋର ସଂଚୟ ଯେତେ, ତ‌ାଠାରୁ କର୍ମଚାରୀମାନଙ୍କ ଉପାର୍ଜନ ଢେର ଅଧିକ। ଏଠାରେ ଯେଉଁ ଶିକ୍ଷକ ଅଛନ୍ତି… ସେମାନଙ୍କର ଆୟ ମଧ୍ୟ ବହୁତ। ଏହି କଥା କହିବାର ଉଦ୍ଦେଶ୍ୟ ହେଉଛି ଯେ ଆମ ଟିକସ ଅର୍ଥ ଦେଶର ବିକାଶରେ ବିନିଯୋଗ ହୁଏ। ତେଣୁ ‌ସମସ୍ତେ ଟିକସ ପଇଠ କରିବା ଉଚିତ।’

ରାଷ୍ଟ୍ରପତି ଏହା ମଧ୍ୟ କହିଛନ୍ତି ଯଦି କୌଣସି ଷ୍ଟେସନରେ ରେଳ ନଅଟକେ ସେଥିପାଇଁ ଲୋକମାନେ ଟ୍ରେନକୁ ଜୋର୍‌ ଜବରଦସ୍ତ ଅଟକାନ୍ତି ଏବଂ ଏପରିକି ବେଳେବେଳେ ନିଆଁ ଲଗାଇ ଦିଅନ୍ତି। ଟ୍ରେନରେ ନିଆଁ ଲଗାଇଦେଲେ କାହାର କ୍ଷତି ହୁଏ? ଲୋକମାନେ କୁହନ୍ତି ଏହା ସରକାରଙ୍କ ସଂପତ୍ତି। କିନ୍ତୁ ପ୍ରକୃତରେ ଏହା ହେଉଛି ଟିକସଦାତାଙ୍କ ଅର୍ଥ।