ହରଭଜନଙ୍କୁ ପୁଣି ମିଳିଲା ଜେଡ୍ ପ୍ଲସ୍ ସୁରକ୍ଷା

ନୂଆଦିଲ୍ଲୀ, ୨୬/୦୪ : ବିଜେପିରେ ସାମିଲ ହୋଇଥିବା ପୂର୍ବତନ କ୍ରିକେଟର୍ ତଥା ସାଂସଦ ହରଭଜନ ସିଂହଙ୍କ ଜେଡ୍ ପ୍ଲସ୍ ସୁରକ୍ଷାକୁ ପଞ୍ଜାବ ସରକାର ପ୍ରତ୍ୟାହାର କରିନେଇଛନ୍ତି । ଏହା ପରେ ହରଭଜନଙ୍କ ସୁରକ୍ଷାରେ ତୁରନ୍ତ କେନ୍ଦ୍ରୀୟ ସୁରକ୍ଷା ବଳ ନିୟୋଜିତ ହୋଇଛନ୍ତି । ଆପ୍ ଦଳର ୭ ଜଣ ରାଜ୍ୟସଭା ସାଂସଦ ବିଜେପିରେ ସାମିଲ ହୋଇଛନ୍ତି । ଯେଉଁଥିରେ ସାଂସଦ ହରଭଜନ ସିଂହ ମଧ୍ୟ ସାମିଲ ଅଛନ୍ତି । ଏହା ପରେ ପଞ୍ଜାବର ଭଗୱନ୍ତ ମାନ୍ ସରକାର ତୁରନ୍ତ ହରଭଜନ ସିଂହଙ୍କୁ ଦିଆଯାଉଥିବା ଉଚ୍ଚ ସ୍ତରୀୟ ସୁରକ୍ଷା ଜେଡ୍ ପ୍ଲସକୁ ହଟାଇ ଦେଇଛନ୍ତି । ପଞ୍ଜାବ ପୋଲିସର ୯ରୁ ୧୦ ଜଣ ସୁରକ୍ଷାକର୍ମୀଙ୍କୁ ପ୍ରତ୍ୟାହାର କରାଯାଇଛି । ପଞ୍ଜାବର ଜଲନ୍ଧରରେ ଥିବା ହରଭଜନଙ୍କ ବାସଭବନରୁ ପାଇଲଟ୍ ଭ୍ୟାନକୁ ଫେରାଇ ନିଆଯାଇଥିବା ତାଙ୍କ ଘରର ସହାୟକ ସୂଚନା ଦେଇଛନ୍ତି । ଏହା ପରେ କେନ୍ଦ୍ର ସରକାର ପୂର୍ବତନ କ୍ରିକେଟରଙ୍କୁ ତୁରନ୍ତ ସୁରକ୍ଷା ଯୋଗାଇ ଦେଇଛନ୍ତି । ହରଭଜନଙ୍କ ବାସଭବନରେ କେନ୍ଦ୍ରୀୟ ସୁରକ୍ଷା ବଳ ମୁତୟନ କରାଯାଇଛି । ରବିବାରଠାରୁ ସିଆରପିଏଫ୍ ଯବାନ ଡ୍ୟୁଟି ଆରମ୍ଭ କରିଛନ୍ତି । ଗତ ଶୁକ୍ରବାର ଆପ୍ ଦଳର ୭ ଜଣ ସାସଂଦ ରାଘବ ଚଢ଼ା, ହରଭଜନ ସିଂହ, ସ୍ୱାତୀ ମାଲୀୱାଲ, ଅଶୋକ ମିତ୍ତଲ, ରାଜିନ୍ଦର ଗୁପ୍ତା, ବିକ୍ରମଜିତ ସାହାନେ ଏବଂ ସନ୍ଦୀପ ପାଠକ ଇସ୍ତଫା ଦେଇଥିଲେ । ଏହା ପରେ ସମସ୍ତେ ବିଜେପିରେ ସାମିଲ ହୋଇଛନ୍ତି । ରାଘବଙ୍କ ଏଭଳି ପଦକ୍ଷେପକୁ ନେଇ ତାଙ୍କର ଯୁବ ପ୍ରଶଂସକମାନେ ବହୁତ ନିରାଶ ଥିବା ଦେଖାଯାଇଛି । ଖାଲି ସେତିକି ନୁହେଁ ହରଭଜନଙ୍କ ବିରୁଦ୍ଧରେ ଆପ୍ କର୍ମକର୍ତ୍ତାମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।