ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ୧୩୪ତମ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୨୬/୦୪ : ଆଜି ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ୧୩୪ତମ ଜୟନ୍ତୀ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମାଲ୍ୟାର୍ପଣ କରିଛନ୍ତି । ଭୁବନେଶ୍ୱରସ୍ଥିତ ପରିବହନ ଭବନ ସମ୍ମୁଖ ଏଜି ଛକରେ ଅବସ୍ଥିତ ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ପ୍ରତିମୂର୍ତ୍ତିରେ ବିଶିଷ୍ଟ ଅତିଥିମାନଙ୍କ ଦ୍ୱାରା ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ମାଲ୍ୟାର୍ପଣ କାର୍ଯ୍ୟକ୍ରମରେ ମାନ୍ୟବର ବାଚସ୍ପତି, ଓଡ଼ିଶା ବିଧାନସଭା ଶ୍ରୀମତୀ ସୁରମା ପାଢ଼ୀ ଓ ମାନ୍ୟବର ସାଂସଦ, ବ୍ରହ୍ମପୁର ଶ୍ରୀ ପ୍ରଦୀପ କୁମାର ପାଣିଗ୍ରାହୀ ଉପସ୍ଥିତ ରହି ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ପରେ ପାରଳା ଗଜପତି ବିକାଶ ମଞ୍ଚର କର୍ମକର୍ତ୍ତାମାନେ, ବିଭିନ୍ନ ସାମାଜିକ ଅନୁଷ୍ଠାନର ପ୍ରତିନିଧି, ବୁଦ୍ଧିଜୀବୀ ଓ ସାଧାରଣ ଲୋକମାନେ ଯୋଗଦେଇ ମହାନ ବ୍ୟକ୍ତିତ୍ୱଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଓଡ଼ିଆଭାଷୀ ଅଞ୍ଚଳର ଏକତ୍ରୀକରଣ ଓ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନରେ ଅପୂର୍ବ ନେତୃତ୍ୱ ପ୍ରଦାନ କରିଥିବା ନବଉତ୍କଳର ନିର୍ମାତା ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବ ଓଡ଼ିଆ ଜାତିର ସ୍ୱାଭିମାନ ଓ ଅସ୍ମିତାର ଏକ ଅବିସ୍ମରଣୀୟ ପ୍ରତୀକ ଭାବେ ସଦା ସ୍ମରଣୀୟ। ତାଙ୍କର ଦୂରଦୃଷ୍ଟି, ପ୍ରଜାନୁରଞ୍ଜନ ଶାସନ ଓ ରାଜ୍ୟ ଗଠନରେ ଅବଦାନ ଓଡ଼ିଶାର ଇତିହାସକୁ ଏକ ଦୃଢ଼ ଭିତ୍ତି ପ୍ରଦାନ କରିଛି।