ଭୁବନେଶ୍ୱର : ପ୍ରସିଦ୍ଧ ପୁରୀ ରଥଯାତ୍ରା ନିମନ୍ତେ ପୁରୀରେ ଭକ୍ତଙ୍କ ନିମନ୍ତେ ୮ଟି ଅସ୍ଥାୟୀ ଚିକିତ୍ସାଳୟ, ୧୭ଶହଟି ଶୌଚାଳୟ ସ୍ଥାପନ କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ଏନେଇ ଆଜି (ଶୁକ୍ରବାର) ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି।
ଆଜି ଲୋକସେବା ଭବନରେ ଅନୁଷ୍ଠିତ ବୈଠକରେ, ନୀତିକାନ୍ତିରେ ସମୟାନୁବର୍ତ୍ତିତା, ରଥ ଓ ଯାତ୍ରୀଙ୍କ ସୁରକ୍ଷା, ଭିଡ ନିୟନ୍ତ୍ରଣ ଏବଂ ଅଗ୍ନିଶମ ସେବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଆରୋପ କରିଥିଲେ। ପ୍ରତ୍ୟେକ ସ୍ତରରେ ଅଧିକାରୀ ଓ କର୍ମଚାରୀଙ୍କ ମଧ୍ୟରେ ପୂର୍ବ ନିର୍ଦ୍ଧାରିତ ନିଷ୍ପତ୍ତି ତଥା ଆବଶ୍ୟକତା ଅନୁଯାୟୀ ପଦକ୍ଷେପ ନେବାପାଇଁ ନିରନ୍ତର ସୂଚନା ପ୍ରଦାନର ବ୍ୟବସ୍ଥା ରହିବା ଆବଶ୍ୟକ। କୌଣସି ପରିସ୍ଥିତିରେ ଯେପରି ଯୋଗଯୋଗ ବିଚ୍ଛିନ୍ନ ନରୁହେ, ସେଥିପ୍ରତି ଧ୍ୟାନ ଦେବା ପାଇଁ ମୁଖ୍ୟମନ୍ତ୍ରୀ ସବୁ ବରିଷ୍ଠ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି।

ସେହିପରି ୪୭୩ ସିସିଟିଭି କ୍ୟାମେରା ସହିତ ଭକ୍ତ ଓ ଶ୍ରଦ୍ଧାଳୁ ମାନଙ୍କୁ ଜରୁରୀ ସୂଚନା ପ୍ରଦାନ କରିବା ପାଇଁ ୬୫ଟି ବଡ ଏଲ୍ଇଡି ସ୍କ୍ରିନ୍ର ବ୍ୟବସ୍ଥା କରାଯାଇଛି। ଓଡିଆ, ହିନ୍ଦୀ ଓ ଇଂରାଜୀରେ ଏଥିରେ ସୂଚନା ଦିଆଯିବ। ମୋବାଇଲ ନେଟୱାର୍କ ପାଇଁ ୧୬ଟି ସ୍ଥାୟୀ ଓ ଅନେକ ଅସ୍ଥାୟୀ ଟାୱାରର ବ୍ୟବସ୍ଥା କରାଯାଇଛି। ସୂଚନା ପ୍ରଦାନ ପାଇଁ ଏଥରକ ଅଧିକ ବାର୍ତ୍ତା (ବଲ୍କ ମେସେଜ୍)ର ବ୍ୟବସ୍ଥା ମଧ୍ୟ କରାଯାଇଛି। ରଥଯାତ୍ରାର ପ୍ରତ୍ୟେକ ଟିକ୍ନିଖି କାର୍ଯ୍ୟ ପାଇଁ ଜଣେ ଜଣେ ଅଧିକାରୀଙ୍କୁ ନିଯୁକ୍ତ କରାଯାଇଛି। ପାର୍କିଙ୍ଗ୍, ବଡଦାଣ୍ଡରେ ହାଇମାକ୍ସ ଲାଇଟର ବ୍ୟବସ୍ଥା କରାଯାଇଛି। ଏଥର ରଥଯାତ୍ରା ପାଇଁ ସ୍ୱତନ୍ତ୍ର ଭାବେ ୧୭୦୦ଟି ବାୟୋ-ଟଏଲେଟର ବ୍ୟବସ୍ଥା କରାଯାଇଛି। ପ୍ରତ୍ୟେକ ୫ଟି ଟଏଲେଟକୁ ପରିସ୍କାର ପରିଚ୍ଛନ୍ନ କରିବା ପାଇଁ ଜଣେ ଜଣେ ସ୍ୱେଚ୍ଛାସେବୀଙ୍କୁ ନିୟୋଜିତ କରାଯାଇଛି। ସେହିପରି ତୁରନ୍ତ ସ୍ୱାସ୍ଥ୍ୟସେବା ଯୋଗାଇଦେବା ପାଇଁ ୮ଟି ଅସ୍ଥାୟୀ ହସ୍ପିଟାଲ ମଧ୍ୟ କରାଯାଇଛି।
ଚଳିତ ବର୍ଷ ରଥଯାତ୍ରାରେ ପୁରୀକୁ ପ୍ରାୟ ୩୦୦ରୁ ଅଧିକ ଟ୍ରେନ ଚଳାଚଳ କରିବ। ତେଣୁ ଟ୍ରେନର ସମୟ ଅନୁଯାୟୀ ଭକ୍ତ ମାନଙ୍କ ଆଗମନକୁ ଦେଖି ଯାତ୍ରୀମାନଙ୍କୁ ଉପଯୁକ୍ତ ସୂଚନା ପ୍ରଦାନ କରିବା, ଭିଡ ନିୟନ୍ତ୍ରଣ ସହିତ ଅନ୍ୟାନ୍ୟ ବ୍ୟବସ୍ଥାକୁ ସଠିକ ରୂପେ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ।