ନୂଆଦିଲ୍ଲୀ, ୧୯/୦୮ : ବାପାଙ୍କ ପରେ ପୁଅଙ୍କ ଜଲୱା । ଦ୍ରାବିଡଙ୍କ ପୁଅଙ୍କ ବିସ୍ଫୋରକ ବ୍ୟାଟିଂ, ଡେବ୍ୟୁରେ ଚମକିଲେ ସେହ୍ୱାଗଙ୍କ ପୁଅ । ୧୮ ବଲରେ ଅନ୍ୱୟ ଦ୍ରାବିଡଙ୍କ ୩୮ ରନ୍ । ଡେବ୍ୟୁରେ ଆର୍ଯ୍ୟବୀର ସେହ୍ୱାଗଙ୍କ ଦମଦାର ବ୍ୟାଟିଂ । ଭାରତୀୟ କ୍ରିକେଟର ଦୁଇ ମହାନ ବ୍ୟାଟର ରାହୁଲ ଦ୍ରାବିଡ୍ ଓ ବୀରେନ୍ଦ୍ର ସେହ୍ୱାଗଙ୍କ ପରେ ଏବେ ତାଙ୍କ ପୁଅମାନେ ଭାରତୀୟ ଜର୍ସିରେ ନିଜ ଛାପ ଛାଡ଼ିଛନ୍ତି । ରାଜକୋଟର ନିରଞ୍ଜନ ଶାହ ଷ୍ଟାଡିୟମରେ ଅଷ୍ଟ୍ରେଲିଆ ବିପକ୍ଷ ଅଣ୍ଡର 19 ପ୍ରଥମ ୟୁଥ୍ ODIରେ ଅନ୍ୱୟ ଦ୍ରାବିଡ୍ ବିସ୍ଫୋରକ ୩୮ ରନ୍ କରିଥିବାବେଳେ ଆର୍ଯ୍ୟବୀର ସେହୱାଗ ନିଜ ଅଣ୍ଡର -19 ଡେବ୍ୟୁରେ ୨୮ ରନର ଦ୍ରୁତ ଇନିଂସ ଖେଳିଛନ୍ତି ।
ରୋମାଞ୍ଚକର ମୁକାବିଲାରେ ଭାରତ ୭ ରନରେ ବିଜୟୀ ହୋଇଛି । ବର୍ଷା ଯୋଗୁଁ ମ୍ୟାଚ୍ କୁ ୨୦ ଓଭର ଲେଖାଏଁ ସୀମିତ କରାଯାଇଥିଲା । ଟସ୍ ଜିତି ଅଷ୍ଟ୍ରେଲିଆ ଭାରତକୁ ପ୍ରଥମେ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା । ଅଧିନାୟକ ଲକ୍ଷ୍ୟ ରାୟଚନ୍ଦାନୀଙ୍କ ସହ ଓପନିଂ କରିଥିବା ବୀରେନ୍ଦ୍ର ସେହ୍ୱାଗଙ୍କ ପୁଅ ଆର୍ଯ୍ୟବୀର ୨୬ ବଲ୍ ରୁ ୫ଟି ଚୌକା ସହ ୨୮ ରନ୍ କରିଥିଲେ । ପ୍ରଥମ ୱିକେଟ୍ ପାଇଁ ଦୁହେଁ ୪୫ ରନ୍ ଯୋଡ଼ିଥିଲେ । ପୁଅର U-19 ଡେବ୍ୟୁ ଦେଖିବା ପାଇଁ ବୀରେନ୍ଦ୍ର ସେହ୍ୱାଗ ମଧ୍ୟ ଷ୍ଟାଡିୟମରେ ଉପସ୍ଥିତ ଥିଲେ । ତେବେ ଏହାପରେ ଭାରତ ୧୧.୫ ଓଭରରେ ୮୮ ରନରେ ୪ଟି ୱିକେଟ୍ ହରାଇ ସଙ୍କଟରେ ପଡ଼ିଥିଲା । ଏହି ସମୟରେ ୬ ନମ୍ବରରେ ବ୍ୟାଟିଂ ପାଇଁ ଆସିଥିଲେ ରାହୁଲ ଦ୍ରାବିଡଙ୍କ ସାନ ପୁଅ ତଥା ୱିକେଟକିପର-ବ୍ୟାଟର ଅନ୍ୱୟ ଦ୍ରାବିଡ୍ ।
ପ୍ରଥମେ ସତର୍କତାର ସହ ଖେଳିଥିବା ଅନ୍ୱୟ ପରେ ଅଷ୍ଟ୍ରେଲୀୟ ବୋଲରଙ୍କ ଉପରେ ଆକ୍ରମଣ କରିଥିଲେ। ମାତ୍ର ୧୮ ବଲ୍ ରୁ ୨ଟି ଚୌକା ଓ ୩ଟି ଛକା ସହ ୩୮ ରନ୍ କରିଥିଲେ । ତାଙ୍କ ଷ୍ଟ୍ରାଇକ୍ ରେଟ୍ ଥିଲା ୨୧୧.୧୧। ଅନ୍ୱୟ ଓ ୟଶବର୍ଦ୍ଧନ ଚୌହାନ ପଞ୍ଚମ ୱିକେଟ୍ ପାଇଁ ୬୯ ରନ୍ ଯୋଡ଼ି ଭାରତୀୟ ଇନିଂସକୁ ମଜବୁତ ସ୍ଥିତିକୁ ନେଇଥିଲେ । ଚୌହାନ ୩୪ ବଲ୍ ରୁ ୫ଟି ଚୌକା ଓ ୨ଟି ଛକା ସହ ସର୍ବାଧିକ ୫୪ ରନ୍ କରିଥିଲେ । ଫଳରେ ଭାରତ ୨୦ ଓଭରରେ ୬ ୱିକେଟ୍ ହରାଇ ୧୮୨ ରନ୍ କରିଥିଲା । ୧୮୩ ରନ୍ ର ଲକ୍ଷ୍ୟ ପିଛା କରି ଅଷ୍ଟ୍ରେଲିଆ ମଧ୍ୟ ଶେଷ ପର୍ଯ୍ୟନ୍ତ ଲଢ଼େଇ କରିଥିଲା । ଅଧିନାୟକ ଜ୍ୟାକ୍ କୋଜନେକ୍ ୨୭ ବଲ୍ ରୁ ୫୫, ନୀଲ ପଟେଲ ୪୫ ଓ ହେଡେନ୍ ବାର୍ବୁଲୋଭିକ୍ ୪୦ ରନ୍ କରିଥିଲେ । କିନ୍ତୁ ଭାରତୀୟ ବୋଲରମାନେ ଚାପ ବଜାୟ ରଖିଥିଲେ । ଅଷ୍ଟ୍ରେଲିଆ ୨୦ ଓଭରରେ ୭ ୱିକେଟ୍ ରେ ୧୭୫ ରନ୍ କରି ଅଟକିଯାଇଥିଲା। ଫଳରେ ଭାରତ ୭ ରନ୍ ରେ ମ୍ୟାଚ୍ ଜିତି ତିନି ମ୍ୟାଚ୍ ବିଶିଷ୍ଟ ୟୁଥ୍ ODI ସିରିଜ୍ ରେ ୧-୦ରେ ଆଗୁଆ ହୋଇଛି ।
ପରବର୍ତ୍ତୀ ଦୁଇଟି ମ୍ୟାଚ୍ ସେପ୍ଟେମ୍ବର ୨୧ ଓ ୨୩ରେ ରାଜକୋଟରେ ଖେଳାଯିବ । ଅନ୍ୱୟ ପୂର୍ବରୁ ଜୁଲାଇରେ ଶ୍ରୀଲଙ୍କା ବିପକ୍ଷରେ ଭାରତ U-19 ପାଇଁ ଖେଳିସାରିଥିବାବେଳେ ଆର୍ଯ୍ୟବୀରଙ୍କ ପାଇଁ ଏହା ଥିଲା ପ୍ରଥମ U-19 ମ୍ୟାଚ୍ । ଗୋଟିଏ ପଟେ ‘ଦ ୱାଲ୍’ ରାହୁଲ ଦ୍ରାବିଡଙ୍କ ପୁଅ ଅନ୍ୱୟ ଓ ଅନ୍ୟପଟେ ବିସ୍ଫୋରକ ବ୍ୟାଟିଂ ପାଇଁ ପରିଚିତ ବୀରେନ୍ଦ୍ର ସେହୱାଗଙ୍କ ପୁଅ ଆର୍ଯ୍ୟବୀର -ଏକାସାଙ୍ଗରେ ଭାରତ U-19 ପାଇଁ ଖେଳିବା ଏହି ମ୍ୟାଚ୍ ର ଅନ୍ୟତମ ଆକର୍ଷଣ ଥିଲା ।