ନୂଆଦିଲ୍ଲୀ,୨୫/୧୦ : ଆଜି ‘ଜାତୀୟ ଚଳଚ୍ଚିତ୍ର ପୁରସ୍କାର ସମାରୋହ’ରେ ଅଭିନେତା ରଜନୀକାନ୍ତଙ୍କୁ ୫୧ତମ ‘ଦାଦା ସାହେବ ଫାଲ୍କେ ପୁରସ୍କାର’ ପ୍ରଦାନ କରାଯାଇଛି। ଭାରତୀୟ ଚଳଚ୍ଚିତ୍ର ପ୍ରତି ଉଲ୍ଲେଖନୀୟ ଅବଦାନ ପାଇଁ ଉପରାଷ୍ଟ୍ରପତି ଏମ୍. ଭେଙ୍କୟା ନାଇଡୁଙ୍କ ଠାରୁ ୭୦ ବର୍ଷିୟ ରଜନୀକାନ୍ତ ଏହି ସମ୍ମାନଜନକ ପୁରସ୍କାର ଗ୍ରହଣ କରିଛନ୍ତି।
ଧଳା କୁର୍ତ୍ତା-ପାଇଜାମା ପରିଧାନ କରି ଅଭିନେତା ରଜନୀକାନ୍ତ ପତ୍ନୀ ଲତା, କନ୍ୟା ଐଶ୍ୱର୍ଯ୍ୟା ଏବଂ ଜ୍ୱାଇଁ ଧନୁଷଙ୍କ ସହ ପୁରସ୍କାର ପ୍ରଦାନ ସମାରୋହରେ ଯୋଗ ଦେଇଥିଲେ।
ପୁରସ୍କାର ଗ୍ରହଣ କରିବା ପରେ ରଜନୀକାନ୍ତ ତାଙ୍କ ଜୀବନଯାତ୍ରା କଥା ସ୍ମରଣ କରି ସାମାନ୍ୟ ବସ୍ କଣ୍ଡକ୍ଟର୍ରୁ ଖ୍ୟାତନାମା ଅଭିନେତା ହୋଇଥିବା କଥା କହିବା ସହ ଚଳଚ୍ଚିତ୍ରରେ ଯୋଗ ଦେବାକୁ ପ୍ରବର୍ତ୍ତାଇ ଥିବା ପୁରୁଣା ବନ୍ଧୁମାନଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି।
କଣ୍ଠଶିଳ୍ପୀ ଆଶା ଭୋସଁଲେ ଓ ଶଙ୍କର ମହାଦେବନ, ଅଭିନେତା ମୋହନଲାଲ୍ ଓ ବିଶ୍ୱଜିତ ଚାଟାର୍ଜୀ ଓ ଚଳଚ୍ଚିତ୍ର ନିର୍ମାତା ସୁଭାଷ ଘାଇଙ୍କୁ ନେଇ ଗଠିତ ବିଚାରକ ମଣ୍ଡଳୀ ରଜନୀକାନ୍ତଙ୍କୁ ‘ଦାଦା ସାହେବ ଫାଲ୍କେ ପୁରସ୍କାର’ ପାଇଁ ମନୋନୀତ କରିଥିଲେ।