RBI କଲା ନୂଆ ଗାଇଡ୍ଲାଇନ୍ ଜାରି : ୧ ଅକ୍ଟୋବରରୁ ବଦଳିବ FD ନିୟମ

ଭୁବନେଶ୍ୱର, ୦୫/୦୮ : ସ୍ମଲ୍ ଫାଇନାନ୍ସ ବ୍ୟାଙ୍କରେ ଫିକ୍ସଡ୍ ଡିପୋଜିଟ୍ ବା FD କରିବାକୁ ଯୋଜନା କରୁଛନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ । ଭାରତୀୟ ରିଜର୍ଭ ବ୍ୟାଙ୍କ ବା RBI ଦେଶର ସମସ୍ତ ସ୍ମଲ୍ ଫାଇନାନ୍ସ ବ୍ୟାଙ୍କ ପାଇଁ ନୂଆ ନିୟମ ଜାରି କରିଛି । ଏହି ନିୟମଗୁଡ଼ିକ ୧ ଅକ୍ଟୋବର ୨୦୨୬ରୁ ଲାଗୁ ହେବ । ଏହାର ଉଦ୍ଦେଶ୍ୟ ହେଉଛି FD ନିବେଶକଙ୍କୁ ଅଧିକ ସ୍ୱଚ୍ଛତା, ସୁରକ୍ଷା ଏବଂ ସମାନ ସୁବିଧା ଦେବା । ଏବେ ସ୍ମଲ୍ ଫାଇନାନ୍ସ ବ୍ୟାଙ୍କମାନଙ୍କୁ FD ଅଫର କରିବା ପୂର୍ବରୁ ସମସ୍ତ ସୁଧ ହାର ସାର୍ବଜନୀନ କରିବାକୁ ପଡ଼ିବ । ବ୍ୟାଙ୍କର ୱେବସାଇଟରେ ପ୍ରକାଶିତ ସୁଧ ହାର ଅନୁଯାୟୀ ହିଁ ଗ୍ରାହକଙ୍କୁ FD ଦିଆଯିବ । ଏହା ଫଳରେ ନିବେଶକମାନେ ବିଭିନ୍ନ ବ୍ୟାଙ୍କର ସୁଧ ହାରକୁ ସହଜରେ ତୁଳନା କରିପାରିବେ।

RBI ବଲ୍କ ଡିପୋଜିଟ୍ ପାଇଁ ମଧ୍ୟ ନୂଆ ନିୟମ କରିଛି । ପ୍ରତି କାର୍ଯ୍ୟଦିବସ ସକାଳ ୧୦ଟାରେ ବ୍ୟାଙ୍କଗୁଡ଼ିକୁ ବଲ୍କ ଡିପୋଜିଟ୍ ସୁଧ ହାର ୱେବସାଇଟରେ ପ୍ରକାଶ କରିବାକୁ ପଡ଼ିବ । ଏହା ପାଇଁ ସକାଳ ୧୦ଟା ୧୦ ମିନିଟ୍ ପର୍ଯ୍ୟନ୍ତ ସମୟ ମିଳିବ । ଅର୍ଥାତ୍ ପ୍ରତିଦିନ ନିର୍ଦ୍ଧାରିତ ସମୟରେ ଗ୍ରାହକମାନେ ସଠିକ୍ ସୁଧ ହାର ଜାଣିପାରିବେ ।

RBI ଆହୁରି ସ୍ପଷ୍ଟ କରିଛି ଯେ, ବ୍ୟାଙ୍କର ସମସ୍ତ ବ୍ରାଞ୍ଚରେ ଏକା ପ୍ରକାର FD ପାଇଁ ସମାନ ସୁଧ ହାର ରହିବ। ଅର୍ଥାତ୍ ଜଣେ ଗ୍ରାହକ କେଉଁ ଶାଖାକୁ ଯାଆନ୍ତୁ ନା କାହିଁକି, ସମାନ ରାଶି ଓ ସମାନ ଅବଧିର FD ଉପରେ ସମାନ ସୁଧ ହାର ପାଇବେ। କୌଣସି ଶାଖା କିମ୍ବା ଗ୍ରାହକଙ୍କ ଆଧାରରେ ଭିନ୍ନ ସୁଧ ହାର ଦେବାକୁ ଅନୁମତି ରହିବ ନାହିଁ।

ଏହି ନୂଆ ବ୍ୟବସ୍ଥାର ସବୁଠାରୁ ବଡ଼ ଲାଭ ହେଉଛି, ଗ୍ରାହକମାନେ FD କରିବା ପୂର୍ବରୁ ସଠିକ୍ ସୁଧ ହାର ଜାଣିପାରିବେ । ବ୍ୟାଙ୍କମାନେ ମଧ୍ୟ ସ୍ୱଚ୍ଛ ଏବଂ ସମାନ ନିୟମରେ କାମ କରିବେ । ଏହା ଫଳରେ ନିବେଶକଙ୍କ ସ୍ୱାର୍ଥ ସୁରକ୍ଷିତ ରହିବା ସହ ବ୍ୟାଙ୍କିଂ ବ୍ୟବସ୍ଥାରେ ଆହୁରି ବିଶ୍ୱାସ ବଢ଼ିବ। ୧ ଅକ୍ଟୋବର ୨୦୨୬ରୁ ସ୍ମଲ୍ ଫାଇନାନ୍ସ ବ୍ୟାଙ୍କର FD ନିୟମ ଅଧିକ ସ୍ୱଚ୍ଛ ଓ ଗ୍ରାହକ-ବନ୍ଧବ ହେବ। ଯଦି ଆପଣ ଭବିଷ୍ୟତରେ FD କରିବାକୁ ଭାବୁଛନ୍ତି, ତେବେ ନୂଆ ନିୟମ ବିଷୟରେ ଜାଣି ନିଷ୍ପତ୍ତି ନେବା ଆପଣଙ୍କ ପାଇଁ ଲାଭଦାୟକ ହେବ।

SBI AD