ଜମି ଦୁର୍ନୀତି ମାମଲା : ରବର୍ଟଙ୍କ ଦୋଷମୁକ୍ତକୁ ନେଇ ଦ୍ବନ୍ଦ୍ବ ସୃଷ୍ଟି

ଚଣ୍ଡିଗଡ : ଡିଏଲଏଫ୍ ଜମି ଦୁର୍ନୀତି ମାମଲାରେ ରବର୍ଟ ଭଦ୍ରାଙ୍କୁ ଦୋଷମୁକ୍ତ (କ୍ଲିନଚିଟ୍) କରାଯିବା ନେଇ ଦ୍ବନ୍ଦ୍ବ ସୃଷ୍ଟି ହୋଇଛି। ରବର୍ଟଙ୍କୁ କ୍ଲିନଚିଟ୍ ଦିଆଯାଇଥିବା ନେଇ କେତେକ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ହରିୟାଣା ସରକାର ଏହାକୁ ଖଣ୍ଡନ କରିଛନ୍ତି। ରାଜ୍ୟ ସରକାର କହିଛନ୍ତି ଯେ ରବର୍ଟ ଭଦ୍ରାଙ୍କ ରିୟଲ ଇଷ୍ଟେଟ୍ କମ୍ପାନୀ ସ୍କାଏଲାଇଟ୍ ହସ୍ପିଟାଲିଟି ଓ ଡିଏଲଏଫ୍ ୟୁନିଭର୍ସାଲ ଲିମିଟେଡ ମଧ୍ୟରେ ହୋଇଥିବା ଜମି ଅଦଳବଦଳ ଘଟଣାର ତଦନ୍ତ ଏବେ ଜାରି ରହିଛି। ଏହି ଦୁର୍ନୀତିର ତଦନ୍ତ ପାଇଁ ଗଠିତ ସ୍ବତନ୍ତ୍ର ତଦନ୍ତକାରୀ ଦଳ (ଏସଆଇଟି) ଘଟଣା ସମ୍ପର୍କିତ କାଗଜପତ୍ର ଯାଞ୍ଚ ଚଳାଇଛି। ପୁଲିସ ବିଭାଗ ମୁଖପାତ୍ର କହିଛନ୍ତି ଯେ ଜମି ଦୁର୍ନୀତି ପଛରେ ରାଜସ୍ବ କ୍ଷତି ସହିତ ଏହା ପଛରେ ରହିଥିବା ଷଡଯନ୍ତ୍ରର ମଧ୍ୟ ତଦନ୍ତ କରାଯାଉଛି। ରିପୋର୍ଟ ଅନୁଯାୟୀ ସ୍କାଏ ଲାଇଟ୍ ହସ୍ପିଟାଲିଟି ୨୦୧୨ ସେପ୍ଟେମ୍ବର ୧୮ରେ ଡିଏଲଏଫ୍ ୩.୫ ଏକର ଜମି ବିକ୍ରି କରିଥିଲା। ଏହି ଜମି ବିକ୍ରି ଭାରତୀୟ ରେଜିଷ୍ଟ୍ରେସନ ଆଇନ ୧୯୦୮ ଅନୁଯାୟୀ ହୋଇଛି। ଜମି ବିକ୍ରି ପଛରେ କୌଣସି ପ୍ରକାର ନିୟମର ଉଲ୍ଲଙ୍ଘନ ହୋଇ ନଥିବା ମାନେସାର ତହସିଲଦାର ରିପୋର୍ଟ ଦେଇଥିଲେ। ସେହିପରି ବୁଧବାର ହରିୟାଣା ସରକାର ହାଇକୋର୍ଟଙ୍କୁ କହିଥିଲେ ଯେ ରବର୍ଟ ଭଦ୍ରାଙ୍କ ରିୟଲ ଇଷ୍ଟେଟ୍ କମ୍ପାନୀ ଦ୍ବାରା କୌଣସି ପ୍ରକାର ନିୟମର ଉଲ୍ଲଙ୍ଘନ କରାଯାଇ ନାହିଁ। ଏହି ରିପୋର୍ଟକୁ ଆଧାର କରି ରବର୍ଟଙ୍କୁ ଜମି ଦୁର୍ନୀତି ଘଟଣାରେ କ୍ଲିନଚିଟ୍ ଦିଆଯାଇଥିବା ଖବର ଗଣମାଧ୍ୟମରେ ପ୍ରକାଶ ପାଇଥିଲା।

SBI AD