ନୂଆଦିଲ୍ଲୀ,୧୯/୭ : ଦେଶରେ ଅନଲାଇନ ଶିକ୍ଷାକୁ ପ୍ରୋତ୍ସାହନ ଦେବା ପାଇଁ ଭାରତ ସରକାର ଆଗାମୀ ୫ ବର୍ଷ ପାଇଁ ସବୁ ରାଜ୍ୟକୁ ୬ ହଜାର ୧୪୩ କୋଟି ଟଙ୍କା ବ୍ୟୟବରାଦ କରି ଥିବା ବେଳେ ତନ୍ମଧ୍ୟରୁ ଓଡ଼ିଶା ପାଇଁ ଏହି କ୍ଷେତ୍ରରେ ଆଗାମୀ ୫ ବର୍ଷ ପାଇଁ ୨୧୮ କୋଟି ଟଙ୍କା ବ୍ୟୟବରାଦ ହୋଇଛି। ସେହିପରି ଓଡ଼ିଶାରେ ୧୪ଟି ଆଦର୍ଶ ଡିଗ୍ରୀ କଲେଜ୍ ସ୍ଥାପନ ପାଇଁ ଭାରତ ସରକାରଙ୍କ ପକ୍ଷରୁ ଅନୁ ମୋଦନ ଦିଆଯାଇଛି ବୋଲି ସଂସଦରେ ଏ ସମ୍ପର୍କୀତ ପ୍ରଶ୍ନର ଉତରରେ କେନ୍ଦ୍ର ଶିକ୍ଷା ଏବଂ ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି।
ସଂସଦରେ ଅନଲାଇନ ଶିକ୍ଷାକୁ ପ୍ରୋତ୍ସାହିତ କରିବା ସହ ଉଚ୍ଚ ଶିକ୍ଷାର ବିକାଶ ପାଇଁ ନିଆଯାଇଥିବା ପଦକ୍ଷେପ ଉପରେ ପ୍ରଶ୍ନର ଉତରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଅନ୍ତର୍ଗତ ଉଚ୍ଚ ଶିକ୍ଷା ବିଭାଗର ସୂଚନା ଏବଂ ଯୋଗାଯୋଗ ପ୍ରଯୁକ୍ତିବିଦ୍ୟା ମାଧ୍ୟମରେ ଶିକ୍ଷା ଉପରେ ରାଷ୍ଟ୍ରୀୟ ଅଭିଯାନ(ଏନଏମଇଆଇ ସିଟି) ଦ୍ୱାରା ଉଚ୍ଚଶିକ୍ଷା ଅନୁଷ୍ଠାନ ଗୁଡ଼ିକରେ ସୂଚନା ଏବଂ ଯୋଗାଯୋଗ ପ୍ରଯୁକ୍ତି ଆଧାରିତ ଶିକ୍ଷା ଉପଲବ୍ଧ କରାଯାଉଛି।
ଓଡ଼ିଶାରେ ଅନଲାଇନ ଶିକ୍ଷାକୁ ପ୍ରୋତ୍ସାହନ ଦେବା ପାଇଁ ଆଗାମୀ ୫ ବର୍ଷ ପାଇଁ ୨୧୮ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତ ସରକାର ଉଚ୍ଚ ଶିକ୍ଷା କ୍ଷେତ୍ରରେ ଗୁଣାତ୍ମକ ଏବଂ ସବୁଠି ଶିକ୍ଷା ଉପଲବ୍ଧ କରିବା ପାଇଁ ପ୍ରତିଶ୍ରୁତିବଦ୍ଧ। କୋଭିଡ୍ ଯୋଗୁଁ ଶିକ୍ଷା ବ୍ୟବସ୍ଥା ବାଧାପ୍ରାପ୍ତ ନହୁଏ ଏବଂ ଅନଲାଇନ ଶିକ୍ଷାକୁ ପ୍ରୋତ୍ସାହନ ପାଇଁ ୨୦୨୦-୨୧ ଆର୍ôଥକ ବର୍ଷରେ ୧୪.୭୫ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। ଗତ ବର୍ଷ ମଇ ୧୭ ତାରିଖରେ ଆତ୍ମନିର୍ଭର ଭାରତ ଯୋଜନା ଅନ୍ତର୍ଗତ ପ୍ରଧାନମନ୍ତ୍ରୀ ଇବିଦ୍ୟା ଯୋଜନା ଆରମ୍ଭ କରାଯାଇଛି। ଶିକ୍ଷା କ୍ଷେତ୍ରରେ ପରିଗଣିତ ପଛୁଆ ଜିଲ୍ଲାକୁ ୧୯୪ଟି ଆଦର୍ଶ ଡ଼ିଗ୍ରୀ କଲେଜକୁ ମଞ୍ଜୁରୀ ଦିଆଯାଇଥିବା ବେଳେ ଓଡ଼ିଶାରେ ୧୪ଟି ଆଦର୍ଶ ଡିଗ୍ରୀ କଲେଜ୍ ସ୍ଥାପନ ପାଇଁ ଅନୁମୋଦନ ଦିଆଯାଇଥିବା ଶ୍ରୀ ପ୍ରଧାନ ସୂଚନା ଦେଇଛନ୍ତି।