ଆଜି ଓଡ଼ିଶା ହାଇକୋର୍ଟ ବିଚାରପତି ଭାବେ ଶପଥ ନେବେ ସାବିତ୍ରୀ ରଥ

କଟକ,୧୧/୬: ଆଜି ଓଡ଼ିଶା ହାଇକୋର୍ଟ ବିଚାରପତି ଭାବେ ଶପଥ ନେବେ ବରିଷ୍ଠ ଆଇନଜୀବି ସାବିତ୍ରୀ ରଥ । ସକାଳ ୧୦.୩୦ରେ ଓଡ଼ିଶା ହାଇକୋର୍ଟ ପରିସରରେ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ । ପୁରୁଣା ହାଇକୋର୍ଟ ବିଲ୍ଡିଂର ନୂତନ ସମ୍ମିଳନୀ କକ୍ଷରେ ଶପଥ ଗ୍ରହଣ ଉତ୍ସବ ଆୟୋଜିତ ହେବ । ହାଇକୋର୍ଟ ମୁଖ୍ୟ ବିଚାରପତି ସାବିତ୍ରୀ ରଥଙ୍କୁ ଶପଥପାଠ କରାଇବେ । କରୋନା କଟକଣା ନିୟମ ମଧ୍ୟରେ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ ବୋଲି ଜଣାପଡିଛି । ଏହି ଉତ୍ସବରେ ଅଳ୍ପ ସଂଖ୍ୟକ ହାଇକୋର୍ଟ କର୍ମଚାରୀ ଓ ବିଚାରପତି ହିଁ କେବଳ ଯୋଗଦେବେ ।

କରୋନା କଟକଣା ଯୋଗୁ ଗଣମାଧ୍ୟମ ପ୍ରତିନିଧିଙ୍କୁ ମଧ୍ୟ ପ୍ରବେଶ ପାଇଁ ଅନୁମତି ଦିଆଯାଇନାହିଁ । ହାଇକୋର୍ଟ ବାର ଆସୋସିଏସନ୍‌ର ସଦସ୍ୟମାନେ ଯେପରି ଏହାର ଲାଇଭ୍‌ ଟେଲିକାଷ୍ଟ ଦେଖିପାରିବେ, ସେଥିପାଇଁ ବ୍ୟବସ୍ଥା କରାଯାଇଛି । ବର୍ତ୍ତମାନ ଓଡ଼ିଶା ହାଇକୋର୍ଟରେ ୧୫ ଜଣ ବିଚାରପତି ଅଛନ୍ତି । ସାବିତ୍ରୀ ରଥ ଦାୟିତ୍ୱ ନେବା ପରେ ହାଇକୋର୍ଟରେ ବିଚାରପତିଙ୍କ ସଂଖ୍ୟା ୧୬କୁ ବୃଦ୍ଧି ପାଇଛି ।