ଆଜି ପବିତ୍ର ହେରାପଞ୍ଚମୀ, ଅଭିମାନିନୀ ମହାଲକ୍ଷ୍ମୀ ଭାଙ୍ଗିବେ ନନ୍ଦିଘୋଷ ରଥର ଚକ

ଭୁବନେଶ୍ୱର, ୨୦/୦୭ : ଆଜି ଶ୍ରୀଜିଉଙ୍କ ନବଦିନାତ୍ମକ ଯାତ୍ରାର ପଞ୍ଚମ ଦିନ । ଅନୁଷ୍ଠିତ ହେବ ପବିତ୍ର ହେରାପଞ୍ଚମୀ ନୀତି । ଲକ୍ଷ୍ମୀ ଠାକୁରାଣୀଙ୍କୁ ଛାଡ଼ିଦେଇ, ମହାପ୍ରଭୁ ଶ୍ରୀଜଗନ୍ନାଥ ଭଉଣୀ ଭାଇଙ୍କୁ ସାଥୀରେ ଧରି ନବଦିନାତ୍ମକ ଯାତ୍ରା କରିଛନ୍ତି । ତାଙ୍କୁ ସାଙ୍ଗରେ ଆଣି ନ ଥିବାରୁ ଅଭିମାନରେ ରହିଛନ୍ତି ଶ୍ରୀଦେବୀ । ଏଥିରେ ରାଗିଯାଇ ମହାପ୍ରଭୁଙ୍କ ରଥ ଭାଙ୍ଗି ଦେଇଯାନ୍ତି ଅଭିମାନିନୀ ଲକ୍ଷ୍ମୀ ଠାକୁରାଣୀ । ଏହି ପରମ୍ପରାକୁ ହେରାପଞ୍ଚମୀ କୁହାଯାଏ । ଆଜି ସଂଧ୍ୟା ଆଳତୀ ପରେ ବିମାନରେ ପଟୁଆରରେ ମହାଲକ୍ଷ୍ମୀ ଶ୍ରୀମନ୍ଦିରରୁ ବାହାରି ଗୁଣ୍ଡିଚା ମନ୍ଦିର ଅଭିମୁଖେ ଯାତ୍ରା କରିବେ । ନନ୍ଦିଘୋଷ ରଥ ନିକଟରେ ମହାଲକ୍ଷ୍ମୀ ପହଞ୍ଚିବା ପରେ ପତ୍ତିମହାପାତ୍ର ସେବାୟତ କର୍ପୂର ବନ୍ଦାପନା,ବଳିତା ବନ୍ଦାପନା,ଚାଉଳ ବନ୍ଦାପନା ଇତ୍ୟାଦି କରିବେ । ଗୁଣ୍ଡିଚା ମନ୍ଦିରକୁ ମହାଲକ୍ଷ୍ମୀ ଯିବାବେଳେ ମହାପ୍ରଭୁଙ୍କ ଠାରୁ ମୁଖଚୁମ୍ବିତ ଅଧରମାଳା ମହାଲକ୍ଷ୍ମୀଙ୍କୁ ପ୍ରଦାନ କରାଯିବ । ସେହି ସମୟରେ ସଂଧ୍ୟାଧୂପ ଚାଲିଥିବା ବେଳେ ଟେରା ପଡିଥିବ । ମହାପ୍ରଭୁଙ୍କ ଭେଟ ନପାଇ ରାଗରେ ଅଭିମାନ କରିବେ ମା ମହାଲକ୍ଷ୍ମୀ । ସେପଟେ ରାଗ ଜର୍ଜରିତ ଅଭିମାନୀନି ମହାଲକ୍ଷ୍ମୀ ନାକଚଣା ଦ୍ୱାର ଦେଇ ପ୍ରସ୍ଥାନ କରିବା ସମୟରେ ଭିତରଚ୍ଛ ମହାପାତ୍ର ଦହିପଟି ମଣୋହି ନୀତି କରିବେ । ଏହାପରେ ଅଭିମାନୀନି ମହାଲକ୍ଷ୍ମୀ ନନ୍ଦିଘୋଷ ରଥର ଚକ ଭାଙ୍ଗି।ବଡଦାଣ୍ଡ ଦେଇ ହେରାଗୋହିରୀ ସାହି ଦେଇ ଶ୍ରୀମନ୍ଦିର ଭିତରକୁ ପ୍ରସ୍ଥାନ କରିବେ । ଏହାପରେ ତିନିରଥକୁ ଦକ୍ଷିଣମୋଡ କରି ମହାପ୍ରଭୁ ବାହୁଡାଯାତ୍ରା ପାଇଁ ନିର୍ଦ୍ଦେଶ ଦେବେ ।

SBI AD