ମାଧୁରୀଙ୍କୁ ବାହା ହୋଇଥାଆନ୍ତେ ସଞ୍ଜୟ

ଦିନ ଥିଲା, ମାଧୁରୀ ଦୀକ୍ଷିତଙ୍କ ନଁାକୁ ନେଇ ବଲିଉଡ୍‌ ଉଠୁଥିଲା ପଡୁଥିଲା। ‘ତେଜାବ’, ‘ବେଟା’, ‘ସାଜନ’, ‘ଖଲନାୟକ’, ‘ହମ୍‌ ଆପ୍‌କେ ହେ କୌନ୍‌’ ଆଦି ଫିଲ୍ମରେ ତାଙ୍କର ଅଭିନୟ ଏବେ ମଧ୍ୟ ସିନେପ୍ରେମୀଙ୍କ ମନରେ ସତେଜ ହୋଇ ରହିଛି। ସେତେବେଳେ ମାଧୁରୀଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଅନେକ କଥା ଶୁଣିବାକୁ ମିଳିଥିଲା। ‘ସାଜନ’ର ଶୁଟିଂ ସମୟରୁ ଦୁହେଁ ପରସ୍ପରର ନିକଟତର ହୋଇଥିଲେ ଏବଂ ‘ଖଲନାୟକ’ ସମୟରେ ଏହି ନିବିଡତା ଆହୁରି ବଢ଼ି ଯାଇଥିଲା। ଫିଲ୍ମରେ ସଞ୍ଜୟ ଦତ୍ତଙ୍କ ନାୟିକା ଭୂମିକାରେ ଅଭିନୟ କରିଥିଲେ ମାଧୁରୀ। ଏପରି କି ତାଙ୍କୁ ବାହା ହେବାକୁ ମାନସିକ ସ୍ତରରେ ନିଜକୁ ସଞ୍ଜୁବାବା ପ୍ରସ୍ତୁତ କରିସାରିଥିଲେ ବୋଲି ଆଲୋଚନା ହୋଇଥିଲା। ନିକଟରେ ଏ ନେଇ ମୁହଁ ଖୋଲିଛନ୍ତି ସେ। ସଞ୍ଜୟ କହିଛନ୍ତି, ‘ମୋ ପର୍ସନାଲ ଲାଇଫକୁ ନେଇ ଅନେକ କଥା ମୁଁ ଶୁଣିଛି। ଯେହେତୁ ସେସବୁ ପଛରେ କିଛି ସତ୍ୟତା ନ ଥିଲା ତେଣୁ ତାକୁ ନେଇ ବିବ୍ରତ ହୋଇ ନ ଥିଲି। ବାକି ରହିଲା ମାଧୁରୀଙ୍କ ସହ ମୋର ବିବାହ କଥା-ଏହା ଏକ ଗୁଜବ। ମୋର ତାଙ୍କ ପ୍ରତି ଆଦୌ ଖରାପ ମନୋଭାବ ନ ଥିଲା। ମୋତେ ବଦନାମ କରିବାକୁ କେହି ଏଭଳି ପ୍ରଚାର କରିଥିଲେ।’