ସତରେ, ବେଳ ପଡିଲେ ଏଭଳି ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡିଥାଏ। ଯେଉଁ ଡାଳ ଧରୁଛନ୍ତି ଭାଙ୍ଗିପଡୁଛି। ହେଲେ ନିଜର ପ୍ରେମ ମିଶନରୁ ପଛଘୁଞ୍ଚା ଦେବାକୁ ତୟାର ନାହାନ୍ତି ସେ। ଏଭଳି ପ୍ରେମିକ କିଏ ଜାଣନ୍ତି ? ସବ୍ୟସାଚୀ । ତାଙ୍କ ପ୍ରେମକୁ ନେଇ ଏବେ ଚର୍ଚ୍ଚା। କଥା କ’ଣ କି, ଏଥର ରଜରେ ରିଲିଜ ଅପେକ୍ଷାରେ ଥିବା ଓଡ଼ିଆ ସିନେମା ‘ଫୋର ଇଡିୟଟ୍ସ’ରେ ତାଙ୍କୁ ମିଳିଛି ଏଭଳି ଏକ କମେଡି ତଥା ରୋମାଣ୍ଟିକ୍ ଭୂମିକା। ଏହି ଫିଲ୍ମରେ ସେ ଯାହାକୁ ପ୍ରେମ କରୁଛନ୍ତି ଅପଦସ୍ଥ ହେଉଛନ୍ତି।
ଏପରି ପ୍ରେମରେ ସେ ସକ୍ସେସ ହେଉଛନ୍ତି କି ନାହିଁ, ତାହା ସିନେମା ଦେଖିଲେ ହିଁ ଜାଣିପାରିବେ। ଚାରିଜଣ ସାଙ୍ଗଙ୍କୁ ନେଇ ରଚିତ କାହାଣୀ ଉପରେ ଆଧାରିତ ଉକ୍ତ ଫିଲ୍ମରେ ହାସ୍ୟରସ ଭରି ରହିଛି ବୋଲି ସୂଚନା ଦେଇଛନ୍ତି ଏହାର ସଂଳାପକାର ଡ. ରଜନୀ ରଞ୍ଜନ। ଅକ୍ଷୟ ପରିଜା ପ୍ରଡକ୍ସନ୍ସ ଏବଂ ପ୍ରକାଶ ଫିଲ୍ମ ବ୍ୟାନରରେ, ଜି ସାର୍ଥକ ସହାୟତାରେ ଅକ୍ଷୟ କୁମାର ପରିଜା, ପ୍ରକାଶ ବେହେରା ଏବଂ ସୁନୀଲ ଯାଦବଙ୍କ ପ୍ରଯୋଜନାରେ (ଏକ୍ଜିକ୍ୟୁଟିଭ ପ୍ରଡ୍ୟୁସର- ସମରେଶ ରାଉତରାୟ) ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦାୟିତ୍ୱ ତୁଲାଇଛନ୍ତି ବସନ୍ତ ସାହୁ। ଗୀତଗୁଡିକୁ ସ୍ବର ଦେଇଛନ୍ତି ପ୍ରେମ୍ ଆନନ୍ଦ। ସବ୍ୟସାଚୀଙ୍କ ବ୍ୟତୀତ ଆକାଶ ଦାସନାୟକ, କୁନା ତ୍ରିପାଠୀ, ସମରେଶ, ଏଲିନା ସାମନ୍ତରାୟ, ପୁନମ ମିଶ୍ର, ଚାନ୍ଦିନୀ, ଲିପ୍ସା ମିଶ୍ର ବିଭିନ୍ନ ଭୂମିକାରେ ଅଭିନୟ କରିଛନ୍ତି।