ବେଙ୍ଗାଲୁରୁ, ୧୮/୬ : କରୋନାର ଦ୍ୱିତୀୟ ଲହର ପରେ ତୃତୀୟ ଲହରକୁ ନେଇ ଆଶଙ୍କା ପ୍ରକାଶ ପାଇଛି। ସରକାରଙ୍କ ମୁଖ୍ୟ ବୈଜ୍ଞାନିକ ପରାମର୍ଶଦାତା ସ୍ପଷ୍ଟ କରିଛନ୍ତି ଯେ ତୃତୀୟ ଲହର ନିଶ୍ଚିତ ଆସିବ। କିନ୍ତୁ ତୃତୀୟ ଲହର କେତେ ମାରାତ୍ମକ ହେବ ସେନେଇ ଅନୁସନ୍ଧାନ ଜାରି ରହିଛି । ନ୍ୟୁଜ୍ ଏଜେନ୍ସି ରାଏଟର୍ସ ଏହି ପ୍ରସଙ୍ଗରେ ବିଶ୍ୱର ପ୍ରାୟ ୪୦ ବିଶେଷଜ୍ଞଙ୍କ ସହ ପରାମର୍ଶ କରିଛି।
ରାଏଟର୍ସ ମତାମତ ଅନୁଯାୟୀ, ପ୍ରାୟ ୮୫ ପ୍ରତିଶତ ବିଶେଷଜ୍ଞ କହିଛନ୍ତି ଯେ ଅକ୍ଟୋବର ମାସ ସୁଦ୍ଧା ଭାରତରେ କରୋନା ତୃତୀୟ ଲହର ଆସିପାରେ। ଆଉ କିଛି ବିଶେଷଜ୍ଞ କହିଛନ୍ତି ଯେ ଅଗଷ୍ଟ, ସେପ୍ଟେମ୍ବର ମାସରେ ତୃତୀୟ ଲହରର ପ୍ରଭାବ ଆରମ୍ଭ ହେବ। ତେବେ ପ୍ରାୟ ୭୦ ପ୍ରତିଶତ ବିଶେଷଜ୍ଞ କହିଛନ୍ତି ଯେ ଦ୍ୱିତୀୟ ତରଙ୍ଗ ଅପେକ୍ଷା ଭାରତ ତୃତୀୟ ଲହରକୁ ଅଧିକ ପ୍ରଭାବଶାଳୀ ଭାବରେ ମୁକାବିଲା କରିବାରେ ସକ୍ଷମ ହେବ।
ଭାରତରେ କରୋନା ତୃତୀୟ ଲହରକୁ ନିୟନ୍ତ୍ରଣ କରାଯାଇପାରିବ ବୋଲି ଏମ୍ସ ନିର୍ଦ୍ଦେଶକ ରଣଦୀପ ଗୁଲେରିଆ କହିଛନ୍ତି । ଏହାର କାରଣ ସେତେବେଳକୁ ଟିକାକରଣ ବହୁତ ବୃଦ୍ଧି ପାଇଥିବ। ସେତେବେଳକୁ ଦେଶରେ ବହୁ ସଂଖ୍ୟକ ଲୋକ କରୋନା ଟିକା ନେଇ ସାରିଥିବେ। ତୃତୀୟ ଲହରରେ ଶିଶୁମାନଙ୍କ ପ୍ରତି ଅଧିକ ବିପଦ ରହିଛି ବୋଲି କୁହାଯାଉଛି। ପ୍ରାୟ ଦୁଇ-ତୃତୀୟାଂଶ ବିଶେଷଜ୍ଞ ଏଥିରେ ସହମତ ଅଛନ୍ତି। ଜଣେ ବିଶେଷଜ୍ଞ କହିଛନ୍ତି ଯେ ୧୮ ବର୍ଷରୁ କମ୍ ପିଲାମାନଙ୍କ ପାଇଁ ବିପଦ ଅଧିକ ହୋଇପାରେ କାରଣ ସେମାନଙ୍କୁ ଟିକା ଦେବା ନେଇ ପରୀକ୍ଷଣ ଜାରି ରହିଛି ଚାଲିଛି।