୨୦୨୬ ଫିଫା ବିଶ୍ୱକପ୍ ଜିତି ସ୍ପେନ୍ ସାଜିଲା ନୂଆ ଚାମ୍ପିୟନ୍

ନୂଆଦିଲ୍ଲୀ, ୨୦/୦୭ : ବିଶ୍ୱକପ୍ ୨୦୨୬ ବିଜେତା ହେଲା ସ୍ପେନ୍ । ୨୦୨୬ ଫିଫା ବିଶ୍ୱକପ୍ ଜିତି ସ୍ପେନ୍ ସାଜିଲା ନୂଆ ଚାମ୍ପିୟନ୍! । ଟ୍ରଫି ଛଡ଼ାଇ ନେଲା ସ୍ପେନ୍ । ମେସିଙ୍କ ସ୍ୱପ୍ନ ଭାଙ୍ଗି ଲା ରୋଜାର ଐତିହାସିକ ବିଜୟ । ୧୦୬ତମ ମିନିଟ୍ ରେ ଫେରାନ୍ ଙ୍କ ଗୋଲ ବଲରେ ଜିତିଲା ସ୍ପେନ୍। ଫୁଟବଲ ଦୁନିଆକୁ ମିଳିଲା ନୂଆ ସମ୍ରାଟ। ଆର୍ଜେଣ୍ଟିନାର ଗଡ଼ ଭାଙ୍ଗି ୨୦୨୬ ଫିଫା ବିଶ୍ୱକପ୍ ଟ୍ରଫି ନିଜ ନାଁରେ କରିଛି ସ୍ପେନ୍ । ରବିବାର ନ୍ୟୁ ଜର୍ସିର ଭରପୂର୍ ‘ମେଟ୍ ଲାଇଫ୍ ଷ୍ଟାଡିୟମ୍’ରେ ଖେଳାଯାଇଥିବା ହାଇ-ଭୋଲ୍ଟେଜ୍ ଫାଇନାଲ୍ ରେ ସ୍ପେନ୍ ୧-୦ ଗୋଲ୍ ରେ ଆର୍ଜେଣ୍ଟିନାକୁ ମାତ୍ ଦେଇ ଦ୍ୱିତୀୟ ଥର ପାଇଁ ବିଶ୍ୱବିଜେତା ହେବାର ଗୌରବ ହାସଲ କରିଛି । ୯୦ ମିନିଟ୍ ର ଶ୍ୱାସରୁଦ୍ଧକର ମୁକାବିଲା ପର୍ଯ୍ୟନ୍ତ ଦୁଇ ଦଳ ମଧ୍ୟରୁ କେହି ଗୋଲ୍ ସ୍କୋର୍ କରିପାରି ନଥିଲେ। ଗ୍ରାଉଣ୍ଡରେ ଶାରୀରିକ ଓ ରଣନୈତିକ ସଂଘର୍ଷ ଚାଲିଥିବା ବେଳେ ମ୍ୟାଚ୍ ଏକ୍ସଟ୍ରା-ଟାଇମ୍ କୁ ଯାଇଥିଲା । ତେବେ ସ୍ପେନ୍ ର ଦ୍ରୁତ ଫିଟ୍ ନେସ୍ ଆଗରେ ଆର୍ଜେଣ୍ଟିନା ନିଜର ନିୟନ୍ତ୍ରଣ ହରାଇଥିଲା ।

୧୦୬ତମ ମିନିଟ୍ ରେ ଫେରାନ୍ ଟୋରେସ୍ ଏକ ଚମତ୍କାର ମୁଭ୍ କୁ ଗୋଲ୍ ରେ ରୂପାନ୍ତରିତ କରି ୮୦ ହଜାରରୁ ଅଧିକ ଦର୍ଶକଙ୍କୁ ସ୍ତବ୍ଧ କରିଦେଇଥିଲେ । ଗୋଲ୍ ପଛରେ ପଡ଼ିବା ପରେ ଆର୍ଜେଣ୍ଟିନାର ସ୍ଥିତି ଆହୁରି ବିଗିଡ଼ି ଯାଇଥିଲା । ଲେଆନ୍ଦ୍ରୋ ପାରେଡେସ୍ ଙ୍କୁ ରେଡ୍ କାର୍ଡ ମିଳିବା ପରେ ଦଳ ୧୦ ଜଣ ଖେଳାଳିଙ୍କୁ ନେଇ ଖେଳିଥିଲା । ଅନ୍ୟପଟେ ଡିଫେଣ୍ଡର ଲିସାନ୍ଦ୍ରୋ ମାର୍ଟିନେଜ୍ ଆହତ ହୋଇ ପଡ଼ିଆ ଛାଡ଼ିବା ଆର୍ଜେଣ୍ଟିନା ପାଇଁ ବଡ଼ ଝଟ୍ କା ସାବ୍ୟସ୍ତ ହୋଇଥିଲା । ସ୍ପେନ୍ ର ୧୯ ବର୍ଷୀୟ ଯୁବ ତାରକା ଲାମିନ୍ ୟାମାଲ ପୁରା ୧୨୦ ମିନିଟ୍ ଆର୍ଜେଣ୍ଟିନା ଡିଫେନ୍ସ ପାଇଁ କାଳ ସାଜିଥିଲେ । କୋଚ୍ ଲୁଇସ୍ ଡି ଲା ଫୁଏଣ୍ଟୋଙ୍କ ସ୍ମାର୍ଟ ରଣନୀତି ଏବଂ ମଜବୁତ ଡିଫେନ୍ସ ବଳରେ ସ୍ପେନ୍ ଅଭିଯାନ ସଫଳ ହୋଇଛି ।

ଅନ୍ୟପଟେ, ଲିଓନେଲ୍ ମେସିଙ୍କ ପାଇଁ ଏହା ବୋଧହୁଏ ଶେଷ ବିଶ୍ୱକପ୍ ମ୍ୟାଚ୍ ଥିଲା । ୨୦୨୨ କାତାର ବିଶ୍ୱକପ୍ ର ଚାମ୍ପିୟନ୍ ଆର୍ଜେଣ୍ଟିନା ନିଜ ଉପାଧି ବଜାୟ ରଖିବାକୁ ପ୍ରାଣପଣେ ଚେଷ୍ଟା କରିଥିଲେ ବି ସ୍ପେନ୍ ର ଚକ୍ରବ୍ୟୁହ ଭାଙ୍ଗିବାରେ ବିଫଳ ହୋଇଥିଲା । ୨୦୧୦ ପରେ ସ୍ପେନ୍ ର ଏହା ଦ୍ୱିତୀୟ ବିଶ୍ୱକପ୍ ସଫଳତା । ଫିଫା ଇତିହାସରେ ପ୍ରଥମ ଥର ପାଇଁ ବିଜେତା ଦଳକୁ ବିଶ୍ୱକପ୍ ଟ୍ରଫି ସହ ଅଫିସିଆଲ୍ ଚାମ୍ପିୟନ୍ ସିପ୍ ରିଂ ପ୍ରଦାନ କରାଯାଇଛି । ସାରା ସ୍ପେନ୍ ରେ ଏବେ କେବଳ ଉତ୍ସବର ମାହୋଲ । ଫୁଟବଲ୍ ଜଗତରେ ‘ଲା ରୋଜା’ର ନୂଆ ସୁବର୍ଣ୍ଣ ଯୁଗ ଆରମ୍ଭ ହୋଇସାରିଛି! ।

SBI AD