ରଙ୍ଗ ଯେମିତି ଲାଲ୍ ଟହଟହ ପୋଷକତତ୍ତ୍ୱରେ ମଧ୍ୟ ଭରପୂର । ସାଲାଡ୍ ହେଉ କି ଜୁସ୍, ସ୍ୱାସ୍ଥ୍ୟ ସଚେତନ ଲୋକଙ୍କ ପ୍ରଥମ ପସନ୍ଦ ପାଲଟିଥାଏ ବିଟ୍ । ଏହାକୁ ସୁପରଫୁଡ୍ ମଧ୍ୟ କୁହାଯାଏ । ରକ୍ତଚାପ ନିୟନ୍ତ୍ରଣଠାରୁ ଆରମ୍ଭ କରି ହଜମ ପ୍ରକ୍ରିୟାକୁ ସୁସ୍ଥ ରଖିବା ଯାଏଁ ଏହାର ଅନେକ ଉପକାରିତା ରହିଛି । ହେଲେ ଆପଣ ଜାଣନ୍ତି କି, ଏହି ଉପକାରୀ ପରିବା କିଛି ଲୋକଙ୍କ ପାଇଁ ସମସ୍ୟାର କାରଣ ମଧ୍ୟ ହୋଇପାରେ । ହଁ, କିଛି ନିର୍ଦ୍ଦିଷ୍ଟ ସ୍ୱାସ୍ଥ୍ୟ ସମସ୍ୟା ଥିବା ଲୋକ ବିଟ୍ ଖାଇବା ସମୟରେ ବିଶେଷ ସତର୍କ ରହିବା ଜରୁରୀ । ତେବେ କେଉଁ ୫ ପ୍ରକାର ଲୋକ ବିଟ୍ ଖାଇବାରେ ସାବଧାନ ରହିବା ଉଚିତ୍, ଆସନ୍ତୁ ଜାଣିବା ।
କିଡନୀ ଷ୍ଟୋନ୍ ସମସ୍ୟା ଥିବା ବ୍ୟକ୍ତି: ଯେଉଁମାନଙ୍କର ପୂର୍ବରୁ କିଡନୀ ଷ୍ଟୋନ୍ ସମସ୍ୟା ରହିଛି, ସେମାନେ ବିଟ୍ ଖାଇବା ସମୟରେ ସତର୍କ ରହିବା ଆବଶ୍ୟକ । କାରଣ ବିଟ୍ରେ ଅକ୍ସାଲେଟ୍ ରହିଥାଏ, ଯାହା କେତେକ ଲୋକଙ୍କଠାରେ କ୍ୟାଲସିୟମ୍ ଅକ୍ସାଲେଟ୍ ଷ୍ଟୋନ୍ ସୃଷ୍ଟିର ଆଶଙ୍କା ବଢ଼ାଇପାରେ । ତେଣୁ କିଡନୀ ଷ୍ଟୋନ୍ ଥିବା ବ୍ୟକ୍ତି ନିଜ ଡାକ୍ତର କିମ୍ବା ଡାଏଟିସିଆନ୍ଙ୍କ ପରାମର୍ଶ ଅନୁସାରେ ବିଟ୍ ଖାଇବା ଉଚିତ୍ ।
କମ୍ ରକ୍ତଚାପ ଥିବା ଲୋକ: ବିଟ୍ରେ ଥିବା ନାଇଟ୍ରେଟ୍ ଶରୀରରେ ନାଇଟ୍ରିକ୍ ଅକ୍ସାଇଡ୍ରେ ପରିଣତ ହୋଇ ରକ୍ତନଳୀକୁ ଆରାମ ଦେଇଥାଏ । ଫଳରେ ରକ୍ତଚାପ କମିପାରେ। ତେଣୁ ଯେଉଁମାନଙ୍କର ପୂର୍ବରୁ ଲୋ ବ୍ଲଡ୍ ପ୍ରେସର୍ ରହିଛି କିମ୍ବା ରକ୍ତଚାପ କମାଇବା ଔଷଧ ଖାଉଛନ୍ତି, ସେମାନେ ଅଧିକ ମାତ୍ରାରେ ବିଟ୍ ଖାଇବାରୁ ଦୂରେଇ ରହିବା ଉଚିତ୍ ।
ଡାଇବେଟିସ୍ ରୋଗୀ: ବିଟ୍ରେ ପ୍ରାକୃତିକ ଶର୍କରା ରହିଥାଏ । ଯଦିଓ ଏହାର ଗ୍ଲାଇସେମିକ୍ ଇଣ୍ଡେକ୍ସ କମ୍, ତଥାପି ଅଧିକ ମାତ୍ରାରେ ବିଟ୍ ଜୁସ୍ କିମ୍ବା ବିଟ୍ ଖାଇଲେ ରକ୍ତରେ ଶର୍କରାର ସ୍ତର ଉପରେ ପ୍ରଭାବ ପଡ଼ିପାରେ। ତେଣୁ ଡାଇବେଟିସ୍ ରୋଗୀମାନେ ନିଜ ଖାଦ୍ୟ ତାଲିକାରେ ବିଟ୍ ସାମିଲ କରିବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନେବା ସହ ମାତ୍ରା ଉପରେ ଧ୍ୟାନ ଦେବା ଉଚିତ୍ ।
ଆଲର୍ଜି ସମସ୍ୟା ଥିବା ବ୍ୟକ୍ତି: କିଛି ଲୋକଙ୍କୁ ବିଟ୍ ଖାଇବା ଦ୍ୱାରା ଆଲର୍ଜି ହୋଇପାରେ। ଏହାର ଲକ୍ଷଣ ଭାବେ ଚର୍ମରେ ଦାଗ, କୁଣ୍ଡାଇ ହେବା, ଫୁଲା ଏବଂ ହଜମ ସମସ୍ୟା ଦେଖାଦେଇପାରେ । ଯଦି ବିଟ୍ ଖାଇବା ପରେ ଏପରି ଲକ୍ଷଣ ଦେଖାଦିଏ, ତେବେ ଏହା ଖାଇବା ବନ୍ଦ କରି ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ । ଶ୍ୱାସକଷ୍ଟ କିମ୍ବା ଗଳା ଫୁଲିବା ଭଳି ଲକ୍ଷଣ ଦେଖାଦେଲେ ତୁରନ୍ତ ଜରୁରୀ ଚିକିତ୍ସା ନିଅନ୍ତୁ ।
ହଜମ ସମସ୍ୟା ଥିବା ଲୋକ: ବିଟ୍ରେ ଫାଇବର୍ ଭରପୂର ମାତ୍ରାରେ ରହିଛି । ଏହା ସାଧାରଣତଃ ହଜମ ପ୍ରକ୍ରିୟା ପାଇଁ ଭଲ ବିକଳ୍ପ । କିନ୍ତୁ ଯେଉଁମାନଙ୍କର ଇରିଟେବଲ୍ ବାୱେଲ୍ ସିଣ୍ଡ୍ରୋମ୍ (IBS) କିମ୍ବା ଅନ୍ୟ ହଜମ ସମସ୍ୟା ରହିଛି, ସେମାନେ ଅଧିକ ପରିମାଣରେ ବିଟ୍ ଖାଇଲେ ପେଟ ଫୁଲିବା, ଗ୍ୟାସ୍ ଏବଂ ଝାଡ଼ା ଭଳି ସମସ୍ୟା ହୋଇପାରେ। ତେଣୁ ଏପରି ସମସ୍ୟା ଥିବା ଲୋକ ସୀମିତ ପରିମାଣରେ ବିଟ୍ ଖାଇବା ଉଚିତ୍ ।
ବିଟ୍ ଖାଇବାର ରହିଛି ଅନେକ ଫାଇଦା: ବିଟ୍ କେବଳ ଦେଖିବାକୁ ସୁନ୍ଦର କିମ୍ବା ସ୍ୱାଦିଷ୍ଟ ନୁହେଁ, ଏହା ପୋଷକତତ୍ତ୍ୱର ମଧ୍ୟ ଏକ ଭଲ ଉତ୍ସ । ଏଥିରେ ଥିବା ନାଇଟ୍ରେଟ୍ ରକ୍ତନଳୀକୁ ଆରାମ ଦେଇ ରକ୍ତଚାପ ନିୟନ୍ତ୍ରଣରେ ସହାୟତା କରିପାରେ । ଏଥିରେ ଥିବା ଫାଇବର୍ ହଜମ ପ୍ରକ୍ରିୟାକୁ ସୁସ୍ଥ ରଖିବା ସହ କୋଷ୍ଠକାଠିନ୍ୟ ଦୂର କରିବାରେ ସାହାଯ୍ୟ କରେ । ଏହାବ୍ୟତୀତ ବିଟ୍ ଶାରୀରିକ ସହନଶୀଳତା ବଢ଼ାଇବା ଏବଂ ବ୍ୟାୟାମ ସମୟରେ ଭଲ ପ୍ରଦର୍ଶନ କରିବାରେ ସହାୟକ ହୋଇପାରେ ।
ବିଟ୍ରେ ଥିବା ଆଣ୍ଟିଅକ୍ସିଡାଣ୍ଟ ଶରୀରର କୋଷଗୁଡ଼ିକୁ ଅକ୍ସିଡେଟିଭ୍ କ୍ଷତିରୁ ସୁରକ୍ଷା ଦେବାରେ ସାହାଯ୍ୟ କରେ। ଏହାସହ ମସ୍ତିଷ୍କକୁ ରକ୍ତ ସଞ୍ଚାଳନରେ ଉନ୍ନତି ଆଣିବାରେ ମଧ୍ୟ ସହାୟକ ହୋଇପାରେ । ତେଣୁ ବିଟ୍ ସ୍ୱାସ୍ଥ୍ୟ ପାଇଁ ଉପକାରୀ ହେଲେ ମଧ୍ୟ ସମସ୍ତଙ୍କ ପାଇଁ ଏହା ସମାନ ଭାବେ ଉପଯୋଗୀ ନୁହେଁ । ନିଜ ଶରୀରର ଅବସ୍ଥା ଓ ସ୍ୱାସ୍ଥ୍ୟ ସମସ୍ୟାକୁ ଦୃଷ୍ଟିରେ ରଖି ଖାଦ୍ୟ ଗ୍ରହଣ କରନ୍ତୁ । କୌଣସି ରୋଗ ଥିଲେ ଡାକ୍ତରଙ୍କ ପରାମର୍ଶ ନେଇ ବିଟ୍କୁ ନିଜ ଡାଏଟ୍ରେ ସାମିଲ କରନ୍ତୁ ।