ଭୁବନେଶ୍ୱର,୧୮/୫: ରାଜ୍ୟ କ୍ୟାବିନେଟରେ ନିଆଯାଇଛି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି। ୩୨ଟି ପ୍ରସ୍ତାବ ଉପରେ ବାଜିଛି କ୍ୟାବିନେଟ୍ ମୋହର। ବାରଙ୍ଗରେ ହେବାକୁ ଥିବା ଟାଟା ପାୱାର ପ୍ଲାଣ୍ଟ ବାତିଲ୍ ହୋଇଛି । ୮୭୧ ଏକର ଜମି ଟାଟାଠୁ ଫେରାଇ ଅଣାଯିବ। ଜିଲ୍ଲା ପରିଷଦରେ ବିଲୀନ ହେଲା DRDA ।
ଏହା ସହ ଏକାଧିକ ନିଯୁକ୍ତି ଯୋଜନାରେ ସଂଶୋଧନ ପ୍ରସ୍ତାବକୁ ମଞ୍ଜୁରି ମିଳିଛି। ଅନୁଗୁଳରେ ହେବ ଆଲୁମିନିୟମ୍ ପାର୍କ । ରାଜ୍ୟରେ ଏକ ଲକ୍ଷ ନୂଆ ବୋରୱେଲ୍ ଖୋଳାଯିବ । ୨୪ଟି ଘରୋଇ ଅପର ପ୍ରାଇମେରୀ ସ୍କୁଲକୁ ୩ ବର୍ଷରେ ୧୨୮୦ ଚେକ୍ଡ୍ୟାମ୍ ନିର୍ମାଣ ହେବ।
ସେହିପରି ମିଶନ ଶକ୍ତି ପାଇଁ ବଡ଼ ଘୋଷଣା ହୋଇଛି। ପ୍ରତି ଗାଁରେ ହେବ ମିଶନ ଶକ୍ତି ଗ୍ରୁପ । ରାଜ୍ୟରେ ଆହୁରି ଅଧିକ ସୁଦୃଢ଼ ହେବ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ । ପ୍ରତି ଜିଲ୍ଲା, ବ୍ଳକ ଓ ପଞ୍ଚାୟତ ଓ ସହରୀ ୱାର୍ଡରେ ରହିବ ମିଶନ ଶକ୍ତି ଗୃହ।
ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ମିଳିବ ୫୦ ହଜାର କୋଟି ଟଙ୍କାର ଋଣ । ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ମିଳିବ ୧୨ ଶହ କୋଟି ଟଙ୍କାର ସୁଧ ରିହାତି ବ୍ୟବସ୍ଥା । ସରକାରଙ୍କ ପକ୍ଷରୁ ୬ ହଜାର ୬ ଶହ କୋଟି ଟଙ୍କାର ବ୍ୟବସାୟ ଯୋଗାଇ ଦିଆଯିବ । ରାଜ୍ୟର ୫୦୦ଟି ସ୍ଥାନରେ ସ୍ଥାପନ ହେବ ମିଶନ ଶକ୍ତି ବଜାର ଓ ଆଉଟ୍ ଲେଟ୍ ।
ରାଜ୍ୟରେ ବିଜୁ କୃଷକ ବିକାଶ ଯୋଜନାରେ ୧ ଲକ୍ଷ ଡିପ୍ ବୋର୍ୱେଲ୍ ହେବ । ୪ ହଜାର ୧୯୮.୧୬ କୋଟି ବ୍ୟୟରେ ଡିପ୍ ବୋରୱେଲ୍ ହେବ । ୨୬ଟି ଜିଲ୍ଲାର ୨୫୬ଟି ବ୍ଳକରେ କାର୍ଯ୍ୟକାରୀ ହେବ ଯୋଜନା । ଏହି ଯୋଜନା ଦ୍ବାରା ୧ ଲକ୍ଷ ଚାଷୀ ଉପକୃତ ହେବେ।