ଭୁବନେଶ୍ଵର, ୦୭/୧ : ସରକାରଙ୍କ ସହ ଆଲୋଚନା ପରେ ଆନ୍ଦୋଳନରୁ ଓହରିଛନ୍ତି ରାଜ୍ୟ ଡ୍ରାଇଭର ମହାସଂଘ । ଏ ନେଇ ଶନିବାର ସନ୍ଧ୍ୟାରେ ସେ ଏକ ଭିଡିଓ ଜାରି କରି ଷ୍ଟିୟରିଂ ଛାଡ଼ ଆନ୍ଦୋଳନରୁ ଓହରିବାକୁ ଆହ୍ଵାନ ଦେଇଛନ୍ତି ଡ୍ରାଇଭର ମହାସଂଘର ସଭାପତି ପ୍ରଶାନ୍ତ ମୁଣ୍ଡୁଳି । ସେ କହିଛନ୍ତି ରାଜ୍ୟ ସରକାର ଆମ ଦାବି ଶୁଣୁଛନ୍ତି। ଫଳରେ ଆଜିଠୁ ସାରା ରାଜ୍ୟରେ ପରିବହନ ସେବା ସ୍ଵାଭାବିକ ହେବ । ୨୮ ରାଜ୍ୟ ଆନ୍ଦୋଳନରେ ସାମିଲ୍ ନ ଥିବାରୁ ଆନ୍ଦୋଳନରୁ ଓହରିବାକୁ ନିଷ୍ପତ୍ତି ନେଇଛୁ। ଦରକାର ପଡ଼ିଲେ କେନ୍ଦ୍ର ସରକାରଙ୍କ ବିରୋଧରେ ଆନ୍ଦୋଳନ କରିବା। ସମସ୍ତ ୨୮ ରାଜ୍ୟ ବାହାରିଲେ ଆମେ ପୁଣି ଥରେ ଆନ୍ଦୋଳନକୁ ଓହ୍ଲାଇବୁ। କିନ୍ତୁ ବର୍ତ୍ତମାନ ଓଡ଼ିଶା ସରକାରଙ୍କ ପାଖରେ ଥିବା ଆମର ଦାବି ପାଖାପାଖି ପୂରଣ ହୋଇଥିବା ପ୍ରଶାନ୍ତ ମେଣ୍ଡୁଲି କହିଛନ୍ତି।
ଟ୍ରକ୍ ଡ୍ରାଇଭରଙ୍କ ସହ ଶନିବାର ଠାରୁ ଆନ୍ଦୋଳନରେ ସାମିଲ ହୋଇଥିଲେ ବସ୍ ଡ୍ରାଇଭର । ଯାହା ପାଇଁ ସାରା ରାଜ୍ୟରେ ବସ୍ ଚଳାଚଳ ପ୍ରଭାବିତ ହୋଇଛି । ଡ୍ରାଇଭର ଗାଡି ଛାଡି ଆନ୍ଦୋଳନରେ ସାମିଲ ହୋଇଥିବାରୁ ପରିବହନ ସେବା ସମ୍ପୂର୍ଣ୍ଣ ଠପ୍ ହୋଇଛି । ଦେଶରେ ଅତ୍ୟାବଶ୍ୟକ ସାମଗ୍ରୀ ହେଉ ଅବା କଞ୍ଚାମାଲ ପରିବହନ ପଛରେ ଟ୍ରକ ପରିବହନର ଗୋଟିଏ ବଡ ଭୂମିକା ରହିଛି । ଷ୍ଟିୟରିଂ ଛାଡ ଆନ୍ଦୋଳନ ଯୋଗୁ ମାଲ ପରିବହନ ସେବା ବାଧାପ୍ରାପ୍ତ ହେବାର ଆଶଙ୍କା ଦେଖାଦେବା ସହ ଦରଦାମ ବୃଦ୍ଧି ହେବାର ଯଥେଷ୍ଟ ସମ୍ଭାବନା ରହିଛି ।