ଭୁବନେଶ୍ୱର, ୧୮/୮: କେମ୍ବ୍ରିଜ୍ ଶିକ୍ଷା ଏକାଡେମିକ୍ ଇମରସନ୍ କାର୍ଯ୍ୟକ୍ରମ ପରିପେକ୍ଷ୍ରୀରେ ୭ଦିନିଆ କିଟ୍ ଓ କିସ୍ ପରିଦର୍ଶନରେ ଆସିଥିବା ଭୁଟାନର ଶିକ୍ଷକ ପ୍ରତିନିଧିମଣ୍ଡଳୀ ଆଜି କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ। ଭୁଟାନର ଶିକ୍ଷା ଓ କୌଶଳ ବିକାଶ ମନ୍ତ୍ରଣାଳୟ ଅଧୀନ ସ୍କୁଲ ଏଜୁକେସନ ବିଭାଗର ଏକ ପ୍ରତିନିଧି ଦଳ ‘ଇଣ୍ଡିଆ ଟ୍ରେକ୍’ କାର୍ଯ୍ୟକ୍ରମରେ ଆସି କିଟ୍ରେ ରହୁଛନ୍ତି। ଏହି ଅବସରରେ ସେମାନେ ଶିକ୍ଷା କ୍ଷେତ୍ରରେ ପ୍ରତିଷ୍ଠାତା ଶ୍ରୀ ସାମନ୍ତଙ୍କ ଅବଦାନର ଭୂୟସୀ ପ୍ରଶଂସା କରିଥିଲେ।
ଏହି ଅବସରରେ ପ୍ରତିନିଧି ଦଳର ସଦସ୍ୟମାନେ ପ୍ରତିକ୍ରିୟାରେ କହିଲେ, ବିଶ୍ୱରେ ଅନେକ ଲୋକ ବିଭିନ୍ନ କ୍ଷେତ୍ରରେ ନିବେଶ କରୁଥିବାବେଳେ ଶିକ୍ଷା କ୍ଷେତ୍ର ପାଇଁ ସମଗ୍ର ଜୀବନ ଉତ୍ସର୍ଗ କରିଥିବା ବ୍ୟକ୍ତି ଅତ୍ୟନ୍ତ ବିରଳ। ଡ. ଅଚ୍ୟୁତ ସାମନ୍ତ ସେହି ବିରଳ ବ୍ୟକ୍ତିତ୍ୱମାନଙ୍କ ମଧ୍ୟରୁ ଜଣେ। ଆଦିବାସୀ ଓ ବଞ୍ଚିତ ବର୍ଗର ଶିଶୁମାନଙ୍କ ପାଇଁ ସେ ଯେଭଳି ନିଷ୍ଠା ଓ ସମର୍ପଣର ସହ କାର୍ଯ୍ୟ କରୁଛନ୍ତି, ତାହା ନିଶ୍ଚିତ ଭାବେ ପ୍ରଶଂସା ଯୋଗ୍ୟ।
କିଟ୍ ଓ କିସ୍ ସଂପର୍କରେ ସେମାନେ ପୂର୍ବରୁ ପଢ଼ିଥିଲେ ଏବଂ ଶୁଣିଥିଲେ। ମାତ୍ର କ୍ୟାମ୍ପସକୁ ଆସି ଛାତ୍ରଛାତ୍ରୀଙ୍କ ପ୍ରତିଭା, ଶୃଙ୍ଖଳା, ସକ୍ରିୟ ଅଂଶଗ୍ରହଣ ଓ ଉନ୍ନତ ଶିକ୍ଷା ବ୍ୟବସ୍ଥାକୁ ନିକଟରୁ ଦେଖିବା ପରେ ସେମାନେ ଏହାର ବାସ୍ତବତାକୁ ଅନୁଭବ କରିପାରିଛନ୍ତି। କିସ୍ କେବଳ ଏକ ଶିକ୍ଷାନୁଷ୍ଠାନ ନୁହେଁ, ବରଂ ହଜାର ହଜାର ଜନଜାତି ଶିଶୁଙ୍କ ଜୀବନରେ ପରିବର୍ତ୍ତନ ଆଣିଥିବା ଏକ ସାମାଜିକ ଆନ୍ଦୋଳନ ବୋଲି ସେମାନେ ମତ ପ୍ରକାଶ କରିଥିଲେ। କିସ୍ ଜନଜାତି ଛାତ୍ରଛାତ୍ରୀଙ୍କ ପାଇଁ ଏକ ଆଶାର ଆଲୋକ ହୋଇ ଉଭା ହୋଇଛି।
ଏଠାରେ ଛାତ୍ରଛାତ୍ରୀମାନେ ଶ୍ରୀ ସାମନ୍ତଙ୍କୁ ଗଭୀର ସମ୍ମାନ କରନ୍ତି ଏବଂ ତାଙ୍କ ଅବଦାନକୁ ଜୀବନ ପରିବର୍ତ୍ତନକାରୀ ବୋଲି ମନେକରନ୍ତି। କିସ୍ ଭଳି ଅନୁଷ୍ଠାନ ଓ ଶ୍ରୀ ସାମନ୍ତଙ୍କ ଭଳି ଜଣେ ଶିକ୍ଷାବିତ୍ଙ୍କ ଅବଦାନ ପାଇଁ ଓଡ଼ିଶାବାସୀ ମଧ୍ୟ ନିଜକୁ ଭାଗ୍ୟଶାଳୀ ମନେ କରୁଥିବେ। ତାଙ୍କ ଅବଦାନ କେବଳ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସୀମିତ ନ ରହି ସମଗ୍ର ସମାଜ ଓ ସ୍ଥାନୀୟ ସମୁଦାୟର ବିକାଶରେ ମଧ୍ୟ ସହାୟକ ହୋଇଛି। ଶେଷରେ ପ୍ରତିନିଧି ଦଳ କିଟ୍, କିସ୍ ଓ ଭୁଟାନ ସରକାରଙ୍କୁ ଧନ୍ୟବାଦ ଜଣାଇବା ସହ ଏଠାରୁ ମିଳିଥିବା ଅନୁଭୂତି ଓ ପ୍ରେରଣାକୁ ନିଜ ଦେଶର ଛାତ୍ରଛାତ୍ରୀ ଏବଂ ସମାଜ ମଧ୍ୟରେ ପହଞ୍ଚାଇବେ ବୋଲି କହିଥିଲେ।