ନୂଆଦିଲ୍ଲୀ,୩/୬: କରୋନା ଜୀବାଣୁ ସଙ୍କଟ ମଧ୍ୟରେ ଆଜି ପୁଣି ଥରେ ବସିବ କେନ୍ଦ୍ର କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ । ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଏହି ବୈଠକ ଅନୁଷ୍ଠିତ ହେବ ଯେଉଁଥିରେ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇପାରେ। ତେବେ ଆଜି ହେବାକୁ ଥିବା ବୈଠକ ଚଳିତ ସପ୍ତାହରେ ହେବାକୁ ଥିବା ଦ୍ୱିତୀୟ କ୍ୟାବିନେଟ୍ ବୈଠକ।
ନିକଟରେ ମୋଦୀ ସରକାରଙ୍କ ଦ୍ୱିତୀୟ କାର୍ଯ୍ୟକାଳ ଏକ ବର୍ଷ ପୂରଣ ହୋଇଛି। ଏଭଳି ପରିସ୍ଥିତିରେ ସୋମବାର ଏକ କେନ୍ଦ୍ରୀୟ କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଥିଲା ଯେଉଁଥିରେ ଏମଏସଏମଇ କ୍ଷେତ୍ର ଏବଂ କୃଷକଙ୍କ ସମ୍ପର୍କରେ କିଛି ବଡ ନିଷ୍ପତ୍ତି ନିଆଯାଇଥିଲା।
ତେବେ ଦେଶରେ କ୍ରମାଗତ ଭାବରେ କରୋନା ଜୀବାଣୁ ସଂକ୍ରମିତ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଛି ଏବଂ ଏହି ସମୟ ମଧ୍ୟରେ ଅନଲକ୍- 1 ଅଧୀନରେ ଅନେକ ପ୍ରକାରର ନିୟମରେ କୋହଳ ମଧ୍ୟ ଦିଆଯାଉଛି। ଅନ୍ୟପକ୍ଷରେ ଆଜି ମହାରାଷ୍ଟ୍ର ଏବଂ ଗୁଜରାଟରେ ମାଡ ହେବାକୁ ଥିବା ସାମୁଦ୍ରିକ ବାତ୍ୟାକୁ ନେଇ ମଧ୍ୟ ବୈଠକ ବସିଥାଇପାରେ ବୋଲି ଆଲୋଚନା କରାଯାଉଛି ।