ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲାର ପ୍ରଥମେ ଗୋଟିଏ ଦୁଇଟା ପଞ୍ଚାୟତରେ ମହିଳାଙ୍କ ମଦ ବିରୋଧୀ ଆନ୍ଦୋଳନ ଚାଲିଥିଲା। ବର୍ତ୍ତମାନ ଏହା ସମଗ୍ର ଜିଲ୍ଲାକୁ ବ୍ୟାପିବା ଆରମ୍ଭ ହୋଇଛି। ଆଜି ସହସ୍ରାଧିକ ମହିଳା ହାତରେ ଠେଙ୍ଗାବାଡ଼ି ଧରି ଜିଲ୍ଲାବ୍ୟାପୀ ମଦବନ୍ଦ କରିବାକୁ ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ କରିଛନ୍ତି। ଆସନ୍ତା ୧୫ ଦିନ ମଧ୍ୟରେ ଦାବି ପୂରଣ ନହେଲେ ପୁଣି ଜୋରଦାର ଆନ୍ଦୋଳନ ହେବ ବୋଲି ଚେତାବନୀ ଦିଆଯାଇଛି। ଆଜି ନବରଙ୍ଗପୁର ସହରର ଚାଉଁରିଆଗୁଡା ଛକରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଯାଏଁ ନବରଙ୍ଗପୁର ଜିଲ୍ଲା ନାରୀ ମହାସଂଘ ପକ୍ଷରୁ ଜିଲ୍ଲାବ୍ୟାପି ସମ୍ପୁର୍ଣ୍ଣ ରୁପେ ମଦ ବନ୍ଦ ସହ ୧୦ଦଫା ଦାବି ନେଇ ଶୋଭାଯାତ୍ରା କରାଯାଇଥିଲା। ମଧ୍ୟାହ୍ଣ ୧୨ଟାରୁ ଅପରାହ୍ଣ ୨ଟା ଯାଏଁ ଜାତୀୟ ରାଜପଥକୁ ହଜାର ହଜାର ମହିଳା ଅବରୋଧ କରିଥିଲେ।
ଜିଲ୍ଲା ନାରୀମହାସଂଘର ସଭାପତି ଦ୍ରୌପଦୀ ଗଣ୍ଡ, ସମ୍ପାଦିକା ପ୍ରଭାତି ଦୁରୁଆ, ରମ୍ଭା ନାୟକ ପ୍ରମୁଖଙ୍କ ନେତୃତ୍ବରେ ପ୍ରତିନିଧି ଦଳ ଜିଲ୍ଲାପାଳଙ୍କୁ ଭେଟି ରାଜ୍ୟପାଳ, ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଦାବି ପତ୍ର ପ୍ରଦାନ କରିଛନ୍ତି। ଏହା ବ୍ୟତୀତ ଏସ୍ପି ଓ ଅବକାରୀ ଏସ୍ପିଙ୍କୁ ପୃଥକ ପୃଥକ ଭାବେ ୧୦ଟି ବ୍ଲକ୍ର ୧୦ଟି ଦାବିପତ୍ର ପ୍ରଦାନ କରାଯାଇଛି। ମହାସଂଘର ଜିଲ୍ଲା ମୁଖ୍ୟ ଉପଦେଷ୍ଟା ରାଜେଶ ଜାନୀ, ଦେବରାଜ ନାଗ, ଦୟାନିଧି ସୁନା ଓ ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ ଆନ୍ଦୋଳନକାରିଣୀଙ୍କ ସହ ଯୋଗ ଦେଇଥିଲେ। ଦାବିପତ୍ର ସମ୍ପର୍କରେ ସୂଚନା ଦେଇ ସଭାପତି ଦ୍ରୌପଦୀ କହିଛନ୍ତି, ଜିଲ୍ଲାରେ ବ୍ୟାପକ ଭାବେ ଦେଶୀ, ପାଉଚ ମଦ ସହ ବିଦେଶୀ ଓ ନକଲି ବିଦେଶୀ ମଦ ବିକ୍ରି ହେଉଛି। ଗାଁଗୁଡିକରେ ବେଆଇନ ମଦ ବ୍ୟବସାୟ, ମଦ ଦୋକାନ ଓ ମଦ୍ୟପ ମାନଙ୍କ ସଂଖ୍ୟା ବଢ଼ିବଢ଼ି ଚାଲିଛି ।
ଫଳରେ ଗାଁରେ ପାରିବାରିକ ଅଶାନ୍ତି ସହ ବିଭିନ୍ନ ପ୍ରକାର ହିଂସା ଓ ଅନୈତିକ କାର୍ଯ୍ୟ ବୃଦ୍ଧି ପାଇଛି। ଏଣୁ ଜିଲ୍ଲାରେ ମଦ କାରବାର ବନ୍ଦ କରିବା ସହ ବାରମ୍ଵାର ବେଆଇନ ମଦ ବ୍ୟବସାୟରେ ଗିରଫ ବ୍ୟକ୍ତିଙ୍କ ସମ୍ପତ୍ତିକୁ ସରକାରଙ୍କ ପକ୍ଷରୁବାଜ୍ୟପ୍ତି, ରାଜ୍ୟ ସରକାରଙ୍କ ପକ୍ଷରୁ ଅବକାରୀ ଓ ପୁଲିସକୁ ଦୃଷ୍ଟାନ୍ତମୂଳକ ଦଣ୍ଡ ଭାବରେ ମାସକ ଜେଲ ଦଣ୍ଡ ନିମନ୍ତେ କ୍ଷମତା ପ୍ରଦାନ କରିବାକୁ ମଧ୍ୟ ଦାବି କରାଯାଇଛି।