ଭୁବନେଶ୍ୱର,୪/୧ : ଆସନ୍ତାକାଲି ଓଡ଼ିଶାବାସୀ ପାଇବେ 5-G ସେବା । ଏହି ସେବାକୁ ଭୁବନେଶ୍ୱରରୁ ଲଞ୍ଚ କରିବେ କେନ୍ଦ୍ର ଆଇଟି ଓ ଯୋଗାଯୋଗ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ଏଥିପାଇଁ ସମସ୍ତ ପ୍ରସ୍ତୁତି ସରିଛି। ଓଡ଼ିଶାରେ ଦୁଇ ଟେଲିକମ୍ ଅପରେଟର ରିଲାଏନ୍ସ ଜିଓ ଓ ଏୟାରଟେଲକୁ ମିଳିଛି ଅନୁମତି। ସେଥିପାଇଁ ଅଟୋମେଟିକ ନେଟୱର୍କ ପ୍ରସ୍ତୁତି ଶେଷ କରିଛନ୍ତି ଏହି ଦୁଇ କମ୍ପାନୀ। ଏଥିସହ ବର୍ତ୍ତମାନ ସୁଦ୍ଧା ୫୧୦ଟି ବିଟିଏସ୍ (ବୋର୍ଡ ଟ୍ରାନ୍ସିଭର ଷ୍ଟେସନ) ଲଗାଯାଇଛି। ପ୍ରଥମେ ରାଜ୍ୟର ମୁଖ୍ୟ ସହରବାସୀ 5-G ସେବା ପାଇବେ। ଧୀରେ ଧୀରେ ଗ୍ରାମାଞ୍ଚଳଗୁଡିକ ମଧ୍ୟ ୫ ଜି ନେଟ୍ଓ୍ୱର୍କ ସହ ଯୋଡି ହେବ।
ଅକ୍ଟୋବର ୧ ତାରିଖରେ ଦେଶରେ ଲଞ୍ଚ ହୋଇଥିଲା 5-G ସେବା। ଦେଶର ୧୩ ସହରରେ ଏହି ସେବା ଲଞ୍ଚ ହୋଇଥିଲା। ହେଲେ ଏଥିରେ ଓଡ଼ିଶାର କୌଣସି ସହର ନଥିଲେ ମଧ୍ୟ ରାଷ୍ଟ୍ରପତିଙ୍କ ଗାଁ ମୟୂରଭଞ୍ଜର ପାହାଡପୁର ବାସିନ୍ଦା ପାଇଥିଲେ ଏହି ସେବାର ଅନୁଭୂତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଫାଇଭ୍-ଜି ନେଟୱର୍କ ସହାୟତାରେ ଯୋଡି ହେଇଥିଲେ ସ୍କୁଲର ଛାତ୍ରଛାତ୍ରୀ।
ଇଣ୍ଟରନେଟ ଦୁନିଆରେ ବୈପବ୍ଳିକ ପରିବର୍ତ୍ତନ ଆଣୁଥିବା ଫାଇଭ୍-ଜି ନେଟୱର୍କ ମିଳିଲେ ଓଡିଶାବାସୀ ଅନେକ ଫାଇଦା ପାଇବେ। ଫୋର୍-ଜି ତୁଳନାରେ ୧୦ ଗୁଣ ଅଧିକ ରହିବ ୫ଜି ଇଣ୍ଟରନେଟ ସ୍ପିଡ୍। ଆଖି ପିଛୁଳାକେ ଡାଉନଲୋଡିଂ ହେବ। ଆଉ ବିଜୁଳି ବେଗରେ ସର୍ଫିଂ ହେବ। ବିଶେଷ କରି ଓଡ଼ିଶାର ଗ୍ରାମାଞ୍ଚଳ ଗୁଡିକରେ ଅନେକ ସୁବିଧା ମିଳିପାରିବ। ଶିକ୍ଷା, ସ୍ୱାସ୍ଥ୍ୟ, ନିର୍ମାଣ, ବ୍ୟାଙ୍କିଂ ସବୁ କ୍ଷେତ୍ରରେ ପରିବର୍ତ୍ତନ ଆସିବ ବୋଲି ଟେଲିକମ୍ ବିଶେଷଜ୍ଞ ନବ କିଶୋର ମହାରଣା ମତ ରଖିଛନ୍ତି।
