ଭୁବନେଶ୍ୱର : ଭୁବନେଶ୍ୱରର ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳରେ ଏକ ତ୍ରିକୋଣୀୟ ପ୍ରେମକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଭୟଙ୍କର ଗ୍ୟାଙ୍ଗୱାର ଦେଖିବାକୁ ମିଳିଛି। ଏହି ଘଟଣାରେ ଦୁଇ ଜଣ ଯୁବକ ଗୁରୁତର ଆହତ ହୋଇଥିବା ବେଳେ ପୋଲିସ ମୋଟ ୧୦ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି।
ସୂଚନା ଅନୁଯାୟୀ, ଚନ୍ଦ୍ରଶେଖରପୁର ଥାନା ଅନ୍ତର୍ଗତ ବୁଦ୍ଧବିହାର ଏବଂ ଈଶାନେଶ୍ୱର ବସ୍ତି ଅଞ୍ଚଳରେ ଏକ ପ୍ରେମ ବ୍ୟାପାରକୁ କେନ୍ଦ୍ର କରି ବିବାଦ ସୃଷ୍ଟି ହୋଇଥିଲା। ଏହା ପରବର୍ତ୍ତୀ ସମୟରେ ଉଗ୍ର ରୂପ ନେଇ ଦୁଇ ପ୍ରତିଦ୍ୱନ୍ଦ୍ୱୀ ଗ୍ୟାଙ୍ଗ ‘ଉତ୍ତମ’ ଏବଂ ‘କୁମ୍ଭୀର’ ମଧ୍ୟରେ ରକ୍ତାକ୍ତ ସଂଘର୍ଷର କାରଣ ପାଲଟିଥିଲା। ଘଟଣାର ଗୋଟିଏ ଦିନ ପରେ ସାଲିଆ ସାହି ବସ୍ତି ଅଞ୍ଚଳରୁ ଉତ୍ତମ ଗ୍ୟାଙ୍ଗର ସଦସ୍ୟମାନେ ବାଇକ୍ ଓ ସ୍କୁଟିରେ ଆସି ମାରଣାସ୍ତ୍ର ଧରି ଅତର୍କିତ ଆକ୍ରମଣ କରିଥିଲେ।
ଏହି ଆକ୍ରମଣରେ ବୁଦ୍ଧବିହାର କଲୋନୀ ସମ୍ପାଦକଙ୍କ ପୁଅ ଶୁଭମ ସରୋଜଙ୍କୁ ଖଣ୍ଡାରେ ଆକ୍ରମଣ ହୋଇଥିଲା, ଯାହା ଫଳରେ ତାଙ୍କ ବାମ ହାତରେ ଗଭୀର ଆଘାତ ଲାଗିଛି। ସେହିପରି ଅନ୍ୟ ଜଣେ ସ୍ଥାନୀୟ ବାସିନ୍ଦା ଚନ୍ଦନ ନାୟକଙ୍କୁ ମଧ୍ୟ ଅତି ନିର୍ମମ ଭାବେ ମାଡ଼ ମରାଯାଇଥିଲା। ପ୍ରଥମେ ସବ୍-ଇନ୍ସପେକ୍ଟର ଦେବ ସାମନ୍ତରାୟଙ୍କ ରିପୋର୍ଟ ଆଧାରରେ ଚନ୍ଦ୍ରଶେଖରପୁର ପୋଲିସ ନିଜ ଆଡୁ ଏକ ମାମଲା ରୁଜୁ କରିଥିଲା। ପରେ ଦୁଇ ଆହତଙ୍କ ଅଭିଯୋଗକୁ ଭିତ୍ତି କରି ଦୁଇଟି ପୃଥକ ମାମଲା ରୁଜୁ କରାଯାଇଛି ବୋଲି ଜୋନ୍-୬ ଏସିପି ମାନସ ରଞ୍ଜନ ପ୍ରଧାନ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।
ତଦନ୍ତ ବେଳେ ଏହି ଆକ୍ରମଣରେ ସମ୍ପୃକ୍ତ ଥିବା ପ୍ରାୟ ୧୪ ଜଣଙ୍କୁ ଚିହ୍ନଟ କରାଯାଇଛି। ସେମାନଙ୍କ ମଧ୍ୟରୁ ଘଟଣା ପରଠାରୁ ଫେରାର ଥିବା ମୁଖ୍ୟ ଅଭିଯୁକ୍ତ ସୁନ୍ଦରପଦାର ଆକାଶ ବେହେରା ଓରଫ ‘କୁମ୍ଭୀର’ ସମେତ ମୋଟ ୧୦ ଜଣଙ୍କୁ ପୋଲିସ ଗିରଫ କରିଛି। ଚନ୍ଦ୍ରଶେଖରପୁର ଆଇଆଇସିଙ୍କ ନେତୃତ୍ୱରେ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଥିଲା। ଗିରଫ ଅଭିଯୁକ୍ତଙ୍କ ନିକଟରୁ ଗୋଟିଏ ବାଇକ୍, ଦୁଇଟି ସ୍କୁଟି, ଗୋଟିଏ ଖଣ୍ଡା, ଛୁରୀ ଏବଂ ଦୁଇଟି କାଠ ଫାଳିଆ ଜବତ କରାଯାଇଛି। ଫେରାର ଥିବା ଅନ୍ୟ ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ପୋଲିସର ପ୍ରୟାସ ଜାରି ରହିଛି ଏବଂ ଏହି ଗ୍ୟାଙ୍ଗୱାରର ପୂର୍ଣ୍ଣାଙ୍ଗ ତଦନ୍ତ କରାଯାଉଛି।