ବିଶ୍ୱ ରେକର୍ଡ କଲା ଆଦିବାସୀ ଧିମ୍ସା ନୃତ୍ୟ

ଭୋଗାପୁରମ : ଆନ୍ଧ୍ରପ୍ରଦେଶର ଭୋଗାପୁରମସ୍ଥିତ ଅଲ୍ଲୁରୀ ସୀତାରାମ ରାଜୁ ଆନ୍ତର୍ଜାତୀୟ ବିମାନବନ୍ଦର ପରିସରରେ ଏକାସାଙ୍ଗରେ ୧୩ ହଜାର ଆଦିବାସୀ ଛାତ୍ରୀଙ୍କ ଧିମ୍ସା ନୃତ୍ୟ ପ୍ରଦର୍ଶନ ଗିନିଜ୍ ୱାର୍ଲ୍ଡ ରେକର୍ଡରେ ସ୍ଥାନ ପାଇଛି ।

ଭୋଗାପୁରମ ବିମାନବନ୍ଦର ପରିସରରେ ଆୟୋଜିତ ଏହି ଭବ୍ୟ କାର୍ଯ୍ୟକ୍ରମରେ ପାଡେରୁ, ସୀତାମ୍ପେଟା, ପାର୍ବତୀପୁରମ ଓ ରାମ୍ପଚୋଡାଭରମ ଆଇଟିଡିଏ ଅଞ୍ଚଳର ଅଷ୍ଟମ, ନବମ ଓ ଦଶମ ଶ୍ରେଣୀର ୧୩ ହଜାର ଆଦିବାସୀ ଛାତ୍ରୀ ଅଂଶଗ୍ରହଣ କରିଥିଲେ । ପାରମ୍ପରିକ ଧିମ୍ସା ନୃତ୍ୟ ପରିବେଷଣ କରି ସେମାନେ ଏକ ନୂଆ ବିଶ୍ୱ ରେକର୍ଡ ହାସଲ କରିଛନ୍ତି ।

ସମସ୍ତ ଛାତ୍ରୀ ଗୋଲାପୀ ରଙ୍ଗର ଶାଢ଼ୀ, ସବୁଜ ବର୍ଡର ଓ ସବୁଜ ବ୍ଲାଉଜ୍ ପିନ୍ଧି ଗୋଟିଏରୂପର ପୋଷାକରେ ନଜର ଆସିଥିଲେ । ୪୩୩ଟି ବୃତ୍ତାକାର ଗୋଷ୍ଠୀରେ ବିଭକ୍ତ ହୋଇ ପ୍ରତ୍ୟେକ ଗୋଷ୍ଠୀରେ ୫୦ ଜଣ ଲେଖାଏଁ ନୃତ୍ୟଶିଳ୍ପୀ ଧିମ୍ସା ନୃତ୍ୟ ପରିବେଷଣ କରିଥିଲେ । ସମନ୍ୱିତ ନୃତ୍ୟ ଓ ତାଳମେଳ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲା । ଲଣ୍ଡନରୁ ଆସିଥିବା ଗିନିଜ୍ ୱାର୍ଲ୍ଡ ରେକର୍ଡସ୍ ପ୍ରତିନିଧିମାନେ ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମକୁ ନିରୀକ୍ଷଣ କରିଥିଲେ । ପ୍ରଦର୍ଶନ ଶେଷରେ ସେମାନେ ଆଦିବାସୀ କଲ୍ୟାଣ ମନ୍ତ୍ରୀ ଗୁମ୍ମାଡି ସନ୍ଧ୍ୟାରାଣୀଙ୍କୁ ଗିନିଜ୍ ୱାର୍ଲ୍ଡ ରେକର୍ଡ ସାର୍ଟିଫିକେଟ ପ୍ରଦାନ କରିଥିଲେ ।

ଆଦିବାସୀ କଲ୍ୟାଣ ବିଭାଗର ପ୍ରଧାନ ସଚିବ ଏମ୍.ଏମ୍. ନାଏକ ଏହାକୁ ଏକ ଐତିହାସିକ ମୁହୂର୍ତ୍ତ ବୋଲି ବର୍ଣ୍ଣନା କରିଛନ୍ତି । ଏହି ସଫଳତା ପାଇଁ ସମସ୍ତ ଅଧିକାରୀ ଓ ଆୟୋଜନ ସହ ଜଡ଼ିତ ଟିମ୍‌କୁ ସେ ଧନ୍ୟବାଦ ଜଣାଇଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗସ୍ତ ପୂର୍ବରୁ ଆୟୋଜିତ ଏହି ଭବ୍ୟ କାର୍ଯ୍ୟକ୍ରମ କେବଳ ଏକ ବିଶ୍ୱ ରେକର୍ଡ ନୁହେଁ, ବରଂ ଆଦିବାସୀ ସଂସ୍କୃତି, ପରମ୍ପରା ଓ ଐତିହ୍ୟକୁ ବିଶ୍ୱ ଦରବାରରେ ପହଞ୍ଚାଇବାର ଏକ ଗୌରବମୟ ଅଧ୍ୟାୟ ପାଲଟିଛି ।

SBI AD