ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ହତ୍ୟା ଧମକ

ନୂଆଦିଲ୍ଲୀ, ୧୧/୦୮ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଇରାନରୁ ଆସିଥିବା ହତ୍ୟା ଧମକ ମଧ୍ୟରେ ତୁର୍କୀରୁ ଟ୍ରମ୍ପଙ୍କୁ ଗୁପ୍ତ ଭାବେ ବାହାର କରାଯାଇଥିଲା । ଆଉ ଟ୍ରମ୍ପଙ୍କ ସୁରକ୍ଷା ପାଇଁ ଚାଲିଥିଲା ଏମିତି ଏକ ଗୋପନୀୟ ଅପରେସନ୍‌, ଯାହାର ଖବର ଅନେକଙ୍କୁ ମଧ୍ୟ ନଥିଲା । ତୁର୍କୀରେ ନାଟୋ ସମ୍ମିଳନୀରେ ଯୋଗଦେଇଥିଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ସେଠାରୁ ଫେରିବା ସମୟରେ ଟ୍ରମ୍ପଙ୍କ ସୁରକ୍ଷାକୁ ନେଇ ହଠାତ୍ ବଢ଼ିଥିଲା ଚିନ୍ତା । ରିପୋର୍ଟ ଅନୁସାରେ, ଇରାନ ପକ୍ଷରୁ ଟ୍ରମ୍ପଙ୍କୁ ନେଇ ଏକ ବିଶ୍ୱସନୀୟ ହତ୍ୟା ଧମକ ସମ୍ପର୍କରେ ଆମେରିକୀୟ ଗୁଇନ୍ଦା ସୂଚନା ପାଇଥିଲା । ଏହାପରେ ତାଙ୍କ ସୁରକ୍ଷା ବ୍ୟବସ୍ଥାରେ ତୁରନ୍ତ ପରିବର୍ତ୍ତନ କରାଯାଇଥିଲା । ଏହି ପୂରା ଅପରେସନ୍‌ର ଉଦ୍ଦେଶ୍ୟ ଥିଲା ଟ୍ରମ୍ପଙ୍କ ପ୍ରକୃତ ଯାତ୍ରାପଥ ଓ ଅବସ୍ଥାନକୁ ଗୋପନ ରଖିବା । ପୁରୁଣା ଏୟାର ଫୋର୍ସ ୱାନ୍‌କୁ ଡିକଏ ଭାବେ ବ୍ୟବହାର କରାଯାଇଥିବା ରିପୋର୍ଟରେ କୁହାଯାଇଛି । ଏହି ଗୁପ୍ତ ଅପରେସନ୍‌ରେ ଏକ ଏୟାରପୋର୍ଟ କ୍ୟାଟରିଂ ଟ୍ରକ୍‌ର ମଧ୍ୟ ବ୍ୟବହାର ହୋଇଥିଲା । ଟ୍ରମ୍ପଙ୍କୁ ଗୋପନୀୟ ଭାବେ ବିମାନ ବଦଳାଇ ଅନ୍ୟ ଏକ ସାମରିକ ବିମାନରେ ନିଆଯାଇଥିଲା । ଅର୍ଥାତ୍‌ ଯେଉଁ ବିମାନରେ ଟ୍ରମ୍ପ ଯାଉଛନ୍ତି ବୋଲି ସମସ୍ତେ ଭାବୁଥିଲେ, ପ୍ରକୃତରେ ସେହି ବିମାନରେ ସେ ନଥିଲେ । ତାଙ୍କ ପ୍ରକୃତ ଯାତ୍ରାକୁ ଗୋପନ ରଖିବା ପାଇଁ ଏଭଳି ରଣନୀତି ଆପଣାଯାଇଥିବା ରିପୋର୍ଟରେ ଦାବି କରାଯାଇଛି । ଟ୍ରମ୍ପଙ୍କୁ ଟାର୍ଗେଟ୍ କରି ଇରାନ ସମର୍ଥିତ ଗୋଷ୍ଠୀଙ୍କ ଧମକ ନେଇ ଆମେରିକାର ସୁରକ୍ଷା ଏଜେନ୍ସିଗୁଡ଼ିକ ଚିନ୍ତିତ ଥିବା ରିପୋର୍ଟ ପ୍ରକାଶ ପାଇଛି । ଏହି କାରଣରୁ ଟ୍ରମ୍ପଙ୍କ ଯାତ୍ରାକୁ ନେଇ ଅତ୍ୟଧିକ ଗୋପନୀୟତା ଅବଲମ୍ବନ କରାଯାଇଥିଲା ।