ଭୁବନେଶ୍ୱର,୨୦ /୧୦ – (ପ୍ରଦୀପ୍ତ କୁମାର ଦାସ) : ସମ୍ପ୍ରତ୍ତି ଟୁଇନସିଟି କମିସନରେଟ ପୋଲିସ ପକ୍ଷରୁ ଭୁବନେଶ୍ୱର ଓ କଟକରେ ଦାଦା ଦମନ ଅଭିଯାନକୁ ଇତିମଧ୍ୟରେ ଜୋରଦାର କରାଯାଇଛି । ବିଶେଷ କରି ଚଳିତ ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ପୋଲିସର ଏହି ସ୍ୱତନ୍ତ୍ର ଅଭିଯାନ କ୍ରମରେ ଗତ ପାଞ୍ଚ ଦିନ ମଧ୍ୟରେ ଦ୍ୱୈତ ନଗରୀରୁ ୨୪ଜଣ ବଟି ଆଦାୟକାରୀ, ୩ଜଣ ଅଭ୍ୟାସଗତ ସମାଜବିରୋଧୀ ଓ ୪୬ଜଣ ଜାମିନ ବିହୀନ ପରୱାନା ଥିବା ୱାରେଣ୍ଟିଙ୍କୁ ଗିରଫ କରାଯାଇଛି । ସେହିପରି ୨ ସହରର ବିଭିର୍ନ ସ୍ଥାନରେ ଚଢ଼ାଉ କରାଯାଇ ମୋଟ ୪୨ଟି ଅବକାରୀ ମାମଲା ରୁଜୁ କରାଯାଇଛି ଓ ୩ଜଣଙ୍କ ଅଭ୍ୟାସଗତ ଅସାମାଜିକ ଙ୍କବିରୋଧରେ ସିଆରପିସିର ୧୧୦ ଦଫା ଲାଗୁ କରାଯାଇ ସେମାନଙ୍କୁ ଗିରଫ କରାଯାଇଛି । ଏଥିସହ ପୋଲିସ ଦୁଇଟି ଏନ୍ଡିପିଏସ ମାମଲା ମଧ୍ୟ ରୁଜୁ କରି ଅଧିକ ତଦନ୍ତ ଜାରିରଖିଛି । ତେବେ ଆଗାମୀ ଦିନରେ ଏହି ଅଭିଯାନକୁ ଆହୁରି ତ୍ୱରାନ୍ୱିତ କରାଯିବ ବୋଲି ପୋଲିସ କମିଶନର ଡ.ସୁଧାଂଶୁ ଷଡ଼ଙ୍ଗୀ ସାମ୍ବାଦିକ ମାନଙ୍କୁ କହିଛନ୍ତି ।