ନୂଆଦିଲ୍ଲୀ, ୨୯/୦୮ : ଭାରତର ଷ୍ଟାର ଜାଭେଲିନ୍ ଥ୍ରୋ ଖେଳାଳି ତଥା ଦୁଇ ଥରର ଅଲିମ୍ପିକ୍ ପଦକ ବିଜେତା ନୀରଜ ଚୋପ୍ରା ବର୍ତ୍ତମାନ ଖେଳାଯାଉଥିବା ସମସ୍ତ ଲିଗରୁ ନିଜ ନାମ ଫେରାଇ ନେଇଛନ୍ତି । ଟ୍ରେନିଂ ସମୟରେ ତାଙ୍କ ଗୋଡ଼ର ଗୋଇଠିର ଲିଗାମେଣ୍ଟରେ ଆଘାତ ଲାଗିବା ଯୋଗୁଁ ସେ ଚଳିତ ସିଜନର ବାକି ସମସ୍ତ ପ୍ରତିଯୋଗିତାରୁ ବାଦ୍ ପଡ଼ିଛନ୍ତି । ତେଣୁ ବ୍ରୁସେଲ୍ସରେ ହେବାକୁ ଥିବା ଡାଏମଣ୍ଡ ଲିଗ୍ ଫାଇନାଲ ଏବଂ ଜାପାନରେ ହେବାକୁ ଥିବା ଏସିଆନ୍ ଗେମ୍ସରେ ନୀରଜଙ୍କୁ ଦେଖିବାକୁ ମିଳିବ ନାହିଁ । ନୀରଜ ନିଜେ ସୋସିଆଲ ମିଡିଆରେ ଏକ ଭାବୁକ ପୋଷ୍ଟ କରିଛନ୍ତି ।
ନୀରଜ ଚୋପ୍ରା ନିକଟରେ ଲୁସାନେ ଡାଏମଣ୍ଡ ଲିଗରେ ୮୮.୦୫ ମିଟରର ଥ୍ରୋ କରି ଚଳିତ ସିଜନର ନିଜର ଶ୍ରେଷ୍ଠ ପ୍ରଦର୍ଶନ କରିଥିଲେ । ଏହି ପ୍ରଦର୍ଶନ ତାଙ୍କୁ ଡାଏମଣ୍ଡ ଲିଗ୍ ଫାଇନାଲ ପାଇଁ ମଧ୍ୟ ଯୋଗ୍ୟତା ଦେଇଥିଲା । ଏସିଆନ୍ ଗେମ୍ସ ପୂର୍ବରୁ ଡାଏମଣ୍ଡ ଲିଗ୍ ଫାଇନାଲ ନୀରଜଙ୍କ ଫର୍ମ ଓ ଫିଟନେସ୍ ପାଇଁ ବଡ଼ ପ୍ଲାଟଫର୍ମ ରହିଥିଲା । କିନ୍ତୁ ଦୁର୍ଭାଗ୍ୟବଶଃତ ଲିଗାମେଣ୍ଟରେ ଆଘାତ ଲାଗିବା ଯୋଗୁଁ ସଂପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡିଛନ୍ତି ।
ନିଜ ଆଘାତ ସମ୍ପର୍କରେ ନୀରଜ କହିଛନ୍ତି ଯେ, ଦୀର୍ଘ ସମୟର କଠିନ ପରିଶ୍ରମ ପରେ ଲୁସାନେରେ ତାଙ୍କୁ ଲାଗିଥିଲା ଯେ ସେ ପୁଣି ନିଜ ଗତି ଓ ଲୟ ହାସଲ କରୁଛନ୍ତି । କିନ୍ତୁ ଏହାର କିଛି ସମୟ ପରେ ଟ୍ରେନିଂ ବେଳେ ତାଙ୍କ ଗୋଇଠିର ଲିଗାମେଣ୍ଟରେ ଆଘାତ ଲାଗିଥିଲା । ଡାକ୍ତର ଓ ନିଜ ଟିମ୍ ସହ ଆଲୋଚନା ପରେ ଚଳିତ ସିଜନର ବାକି ସମସ୍ତ ପ୍ରତିଯୋଗିତାରୁ ଦୂରେଇ ରହିବାକୁ ନିଷ୍ପତ୍ତି ନେଇଥିବା ନୀରଜ ଜଣାଇଛନ୍ତି । ଚଳିତବର୍ଷ ନୀରଜ ଚୋପ୍ରା ଡାମଣ୍ଡ ଲିଗରେ ଦୋହା ଏବଂ ଲୁସାନେରେ ମ୍ୟାଚ୍ ଖେଳି ମୋଟ୍ ୧୨ ପଏଣ୍ଟ ପାଇଥିଲେ । ତେବେ ନୀରଜ ପୁରା ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡିବା ଯୋଗୁଁ ଖେଳପ୍ରେମୀଙ୍କୁ ବହୁତ ବଡ଼ ଝଟକା ଲାଗିଛି ।