ମୁମ୍ବାଇ ମେଟ୍ରୋରେ ନୂଆ ଅଫିସର, ୪ ପାଦରେ କରୁଛନ୍ତି ଡ୍ୟୁଟି

ନୂଆଦିଲ୍ଲୀ, ୨୯/୦୮ : ମୁମ୍ବାଇ ମେଟ୍ରୋରେ ଏବେ ଏମିତି ଜଣେ ଅଫିସରଙ୍କୁ ନେଇ ଚର୍ଚ୍ଚା, ଯାହାଙ୍କ ପାଖରେ ନା ଅଛି ଆଇଡି କାର୍ଡ, ନା ୟୁନିଫର୍ମ… ଆଉ ନା ଅଛି ଡ୍ୟୁଟି ଟାଇମ୍ । କାରଣ ଇଏ ହେଉଛନ୍ତି ଜଣେ ପୁଷ୍ଟ ଜିଙ୍ଗର କ୍ୟାଟ୍ । ମୁମ୍ବାଇର ଗୁଣ୍ଡାଭଲି ମେଟ୍ରୋ ଷ୍ଟେସନ୍, ମୁମ୍ବାଇ ମେଟ୍ରୋ ଲାଇନ୍-୭ରେ ରହୁଥିବା ଏହି ବିଲେଇକୁ MMMOCL ପକ୍ଷରୁ ମିଳିଛି ଏକ ଖାସ୍ ସମ୍ମାନଜନକ ପଦବୀ ‘Chief Feline Officer’, ଅର୍ଥାତ୍ ବିଲେଇ ଅଫିସର । ଘଟଣାଟି ମଜାଳିଆ ଭାବେ ଆରମ୍ଭ ହୋଇଥିଲା । ଜଣେ ଯାତ୍ରୀ ମଜାକରେ କହିଥିଲେ ଷ୍ଟେସନ୍‌ରେ ରହୁଥିବା ଏହି ବିଲେଇ ତ ମାଗଣାରେ ଡ୍ୟୁଟି କରୁଛି, ତାକୁ ଏକ ଅଫିସିଆଲ୍ ପଦବୀ ଦିଆଯିବା ଉଚିତ । ବାସ୍, ଯାତ୍ରୀଙ୍କ ଏହି ମଜାକକୁ ସିରିଅସ୍‌ଲି ନେଇନେଲା MMMOCL! ଆଉ ବିଲେଇକୁ ଦିଆଗଲା Chief Feline Officer ପଦବୀ । ଷ୍ଟେସନ୍‌ରେ ନିରୀକ୍ଷଣ କରିବା, ଯାତ୍ରୀମାନଙ୍କୁ ଲକ୍ଷ କରିବା, ଆଉ ନିଜ ପାଇଁ ସବୁଠୁ ଆରାମଦାୟକ ସ୍ଥାନ ଖୋଜି ସେଠାରେ ବସି ରହିବା । ନା ଏହି ଅଫିସରଙ୍କର କୌଣସି ଏମ୍ପ୍ଲୟି ଆଇଡି ଅଛି, ନା ୟୁନିଫର୍ମ… ନା କାମ କରିବାର କୌଣସି ନିର୍ଦ୍ଦିଷ୍ଟ ସମୟ ଅଛି । କିନ୍ତୁ ଷ୍ଟେସନ୍‌ରେ ତାଙ୍କର ଲୋକପ୍ରିୟତା କିଛି କମ୍ ନୁହେଁ । ଯାତ୍ରୀମାନଙ୍କ ମନ ଜିତିସାରିଛନ୍ତି ଏହି ଚାରି ପାଦ ଥିବା ଅଫିସର । ତେବେ ଡ୍ୟୁଟିରେ ଟ୍ରିଟ୍ ମିଳୁଛି କି ନାହିଁ, ସେକଥା କିନ୍ତୁ ଏଯାଏଁ ସ୍ପଷ୍ଟ ହୋଇନି ।