ଭିଜିଲାନ୍ସ ଜାଲରେ କୋଟିପତି ସରକାରୀ ବାବୁ : ଏବେ ସୁଦ୍ଧା ୧୫ କୋଟିରୁ ଅଧିକ ସମ୍ପତ୍ତି ଠାବ

ଭୁବନେଶ୍ୱର,୯/୧୧: ଗିରଫ ହେଲେ OPHWCର ଡେପୁଟି ମ୍ୟାନେଜର ପ୍ରତାପ ସାମଲ । ଭିଜିଲାନ୍ସ ଚଢ଼ାଉ ପରେ ତାଙ୍କର ଅମାପ ସମ୍ପତ୍ତି ରହିଥିବା ଜଣାପଡ଼ିଛି । ଯାହାକୁ ଦେଖି ଭିଜିଲାନ୍ସ ମଧ୍ୟ ତାଜୁବ ହୋଇଯାଇଛି । ଚଢ଼ାଉରେ ପ୍ରତାପ ସାମଲଙ୍କ ୨୨ଟି ପ୍ଲଟ ସହ ୫ଟି କୋଠାର ଠିକଣା ମିଳିଥିଲା । ଆଜି ଭିଜିଲାନ୍ସ ପକ୍ଷରୁ ଏକାଧିକ ସ୍ଥାନରେ ଚଢାଉ କରାଯାଇଥିଲା ।

ଓଡିଶା ପୋଲିସ ହାଉସିଂ କର୍ପୋରେସନର ଡେପୁଟି ମ୍ୟାନେଜରଙ୍କ ଘରେ ଆଜି ଭିଜିଲାନ୍ସ ପକ୍ଷରୁ ରେଡ଼୍‌ କରାଯାଇଥିଲା । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ୧୦ ରୁ ଅଧିକ ସ୍ଥାନରେ ଚଢାଉ ଜାରି କରିଥିଲା । ଜଣେ ଅତିରିକ୍ତ ଏସ୍‌ପିଙ୍କ ସହ ୫ଜଣ ଡିଏସ୍‌ପି, ୭ ଜଣ ଆଇଆଇସି ଏହି ରେଡ଼୍‌ରେ ସାମିଲ ହୋଇଥିଲେ । ତେବେ ଏହି ଚଢାଉରୁ ପ୍ରତାପ ୧୫ କୋଟିରୁ ଉର୍ଦ୍ଧ୍ୱ ସମ୍ପତ୍ତିର ଅଧିକାରୀ ହୋଇଥିବା ଭିଜିଲାନ୍ସ କହିଛି । ଯାହାକି ଭିଜିଲାନ୍ସକୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି ।

ଏସବୁ ମଧ୍ୟରେ ଭୁବନେଶ୍ୱର ନୟାପଲି ଏନ୬’-୪୧୬ରେ ତିନି ମହଲା ଘର, ଜୟଦେବ ବିହାର ଛକ ନିକଟରେ ୬ ମହଲା ଘର, ଖଣ୍ଡଗିରି ସରକନ୍ତାରେ ଏକ ମହଲା ଘର, ଜୟଦେବ ବିହାର ନରେନ୍ଦ୍ର ଭିଲା ଆପର୍ଟମେଣ୍ଟରେ ଏକ ଫ୍ଲାଟ, ଭଦ୍ରକ ବାସୁଦେବପୁରରେ ୩ ମହଲା ବିଶିଷ୍ଟ ଆପାର୍ଟମେଂଟ, ବାଲେଶ୍ୱର ହରିପୁରର ପୈତୃକ ଘର, ଓଡିଶା ପୋଲିସ ହାଉସିଂ କର୍ପୋରେସନ ଅଫିସ, ଭୁବନେଶ୍ୱର ଗୋଠପାଟଣାରେ ପ୍ରତାପଙ୍କ ସ୍ତ୍ରୀ ନାମରେ ୫ମହଲାର ଘର ରହିଛି । ଭୁବନେଶ୍ୱରରୁ କେବଳ ୫ଟି ଘର ଠାବ ହୋଇଛି ।

ସେହିପରି ଚଢାଉ ବେଳେ ୧୧ଟି ବ୍ୟାଙ୍କ ଆକାଉଣ୍ଟ, ୩୮ ଲକ୍ଷ ୩୭ ହଜାର ଟଙ୍କା, ଅଧ କେଜି ସୁନା, ଦାମୀ ଗାଡି ଜବତ କରିଛି ଭିଜିଲାନ୍ସ । କେବଳ ଏତିକି ନୁହେଁ, ବରଂ ଏହାସହ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ଏକାଧିକ ପ୍ଲଟ ଓ ବ୍ୟାଙ୍କ ଲକର ଠାବ ହୋଇଥିବାର ସୂଚନା ମିଳିଛି ।