ମହାକାଳପଡ଼ା,୨୪/୦୮ : (ଅରକ୍ଷିତ ନାଥ) – ଚଳିତ ଲଘୁଚାପ ବର୍ଷା ଫଳରେ ମହାକାଳପଡ଼ା ତହସିଲ ଅଧୀନ ଗୋଗୁଆ ରାଜସ୍ୱ ସର୍କଲ ଅନ୍ତର୍ଗତ ସାନ ରାହାମା ରାଜସ୍ୱ ଗାଁ ର ସାଗର ଦାସଙ୍କ ବାସଗୃହର ମାଟିକାନ୍ଥ ରବିବାର ରାତ୍ରିରେ ଭୁଶୁଡିପଡିଛି l ପରିବାର ଲୋକେ ଘରେ ନିଘୋଡ଼ ନିଦରେ ଶୋଇଥିବା ବେଳେ କାନ୍ଥ ପଡିଯାଇଥିଲା l ମାତ୍ର ସୌଭାଗ୍ୟବଶତଃ ପତ୍ନୀ ରଶ୍ମିତା, ନିଦରୁ ଉଠିପଡ଼ି ସ୍ୱାମୀ ଓ ୯ ବର୍ଷର ପୁଅ ୭ ବର୍ଷର ଝିଅକୁ ଉଠାଇ ବାହାରକୁ ଚାଲି ଯାଇଥିଲେ l ମୃତ୍ୟୁ ମୁଖରୁ ଅଳ୍ପକେ ବର୍ତ୍ତୀଯାଇଥିବା ପରିବାରର ୪ସଦସ୍ୟ ରାତ୍ରିରେ ବର୍ଷାରେ ଭିଜିଥିଲେ l ସୋମବାର ଦିନ, ସ୍ଥାନୀୟ ୱାର୍ଡ ସଭ୍ୟଙ୍କୁ ସାଥିରେ ଧରି ଗୋଗୁଆ ରାଜସ୍ୱ ନିରୀକ୍ଷକଙ୍କୁ ଅଭିଯୋଗ କରିଥିଲେ l ମାତ୍ର ରାଜସ୍ବ ଅଧିକାରୀ ମଙ୍ଗଳବାର ସର୍ଜମିନି ତଦନ୍ତ କରିବେ ବୋଲି ସାଗରକୁ କହିଥିବାର ୱାର୍ଡ ସଭ୍ୟ କହନ୍ତି l ବର୍ଷା ସତ୍ତ୍ୱେ ଖୋଲା ଆକାଶ ତଳେ ଥିବା ପରିବାରର ୪ ସଦସ୍ୟଙ୍କୁ ସ୍ବେଛାସେବୀ ପ୍ରମୋଦ ଦେବତା ଆର୍ଥିକ ସହାୟତା ରାଶି ପ୍ରଦାନ କରିବା ସହିତଭଙ୍ଗା ଘର ସଜାଡ଼ିବା ପର୍ଯ୍ୟନ୍ତ ସାଗର ପରିବାରକୁ ନିଜ ଘରେ ଆଶ୍ରୟ ଦେଇଛନ୍ତି l ବାସହୀନ ପରିବାର ନିକଟରେ ପ୍ରଶାସନ କି ପଂଚାୟତର ସରପଞ୍ଚ କେହି ବି ପହଂଚି ନଥିବାରୁ ସ୍ଥାନୀୟ ଲୋକେ ଘୋର ନିନ୍ଦା କରିଛନ୍ତି l ଦୁଃଖୀ ପରିବାରକୁ ସହଯୋଗ ସହିତ ପକ୍କା ବାସଗୃହ ଯୋଗାଇ ଦେବାକୁ ସ୍ଥାନୀୟ ଲୋକେ ପ୍ରଶାସନକୁ ଦାବିକରନ୍ତି l