ଆଶ୍ଚଯ୍ୟ ଲାଗିଲେ ବି ସତ : ବସ୍ ଡ୍ରାଇଭର ଘରୁ ମିଳିଲା ୨୮ କୋଟି ଟଙ୍କା ଏବଂ ୧୫ କେଜି ସୁନା

ନୂଆଦିଲ୍ଲୀ, ୩୦/୦୭ : ପଶ୍ଚିମବଙ୍ଗ ବୀରଭୂମିରେ ପୋଲିସ ଏକ ସାଧାରଣ ବସ୍ ଡ୍ରାଇଭର ଘରେ ଚଢାଉ କରିବା ବେଳେ ଏସବୁ ଦେଖି ସ୍ତବ୍ଧ ହୋଇଛି । ଘର ଭିତରର ଦୃଶ୍ୟ କୌଣସି ବଲିଉଡ ଫିଲ୍ମ ଠାରୁ କମ୍ ନୁହେଁ । ରୁମରେ ନୋଟ ଭର୍ତ୍ତି ବ୍ୟାଗ ଏବଂ ସୁନା ଦେଖି ପୋଲିସ ଆଖି ଟେରା ହୋଇଛି । ଏହା ପୁଣି କୌଣସି ସରକାରୀ ଚାକିରିଆ କିମ୍ବା ଖଣି ମାଫିଆଙ୍କ ଘରେ ନୁହେଁ, ବରଂ ଜଣେ ସାଧାରଣ ସରକାରୀ ବସ୍ ଡ୍ରାଇଭରଙ୍କର ଘରେ ଦେଖିବାକୁ ମିଳିଛି ।ସାଧାରଣ ଦେଖାଯାଉଥିବା ଘରେ ୨୮ କୋଟି ଟଙ୍କା ନଗଦ ଏବଂ ୧୫ କିଲୋ ସୁନା ଦେଖି ପୋଲିସ ଅଧିକାରୀ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ପୂର୍ବତନ ସରକାରୀ ବସ୍ ଡ୍ରାଇଭର ମିନାର ମଣ୍ଡଳଙ୍କ ଗାଁରେ ଥିବା ଦୁଇ ମହଲା ଘରେ ପୋଲିସ ରେଡ୍ କରିଥିଲା । ଘରୁ ୩୫ଟି ବସ୍ତାରେ ପ୍ୟାକ୍ ହୋଇଥିବା ପ୍ରାୟ ୧୫ କିଲୋ ସୁନା ବିସ୍କୁଟ ଏବଂ ୨୦ କୋଟି ଟଙ୍କା ନଗଦ ଜବତ ହୋଇଛି । ସୂଚନା ପାଇ ପୋଲିସ ମଙ୍ଗଳବାର ବିଳମ୍ବିତ ରାତିରେ ଦେଉଚା ଅଞ୍ଚଳରେ ମିନାରଙ୍କ ଘରେ ଚଢାଉ କରିଥିଲା ।

ନୋଟ ବଣ୍ଡଲ ଏବଂ ବସ୍ତା ବସ୍ତା ସୁନା ଦେଖି ପୋଲିସ ପାଞ୍ଚଟି ଟଙ୍କା ଗଣନା ମେସିନ୍ ମଗାଇଥିଲା । ନୋଟ୍ ଗଣନା ଘଣ୍ଟା ଘଣ୍ଟା ଧରି ଚାଲିଲା । ହେଲେ ସରିଲାନି । ମଝିରେ ଟଙ୍କା ଗଣା ମେସିନ ମଧ୍ୟ ଖରାପ ହୋଇଗଲା । ତାଙ୍କ ଘରୁ ସୁନାର ୧୪ଟି ବାଡ଼ି, ୧୦୦-୧୦୦ ଗ୍ରାମର ସୁନା ବିସ୍କୁଟ ପୋଲିସ ଜବତ କରିଛି । ଜବତ ସୁନାର ଦାମ୍ ପ୍ରାୟ ୨୨ କୋଟି ହେବ ବୋଲି ଜଣାପଡିଛି । ବସ୍ତାରେ ୨୮ କୋଟି ଟଙ୍କା ନଗଦ ମିଳିଛି । ପୋଲିସ ମୁତାବକ, ଏହି ଘଟଣା ପଥର ଶିଳ୍ପର ବେଆଇନ କାର୍ଯ୍ୟକଳାପ ସହିତ ଜଡିତ । ମୀନାର ମଣ୍ଡଳଙ୍କ ସଂସ୍ଥା ତିନୋଟି ଜିଲ୍ଲାରେ ପଥର ଶିଳ୍ପର ପ୍ରବେଶ ଫାଟକରେ ଟିକସ ଆଦାୟ କରୁଥିବା ଅଭିଯୋଗ ହୋଇଛି । ପ୍ରତି ମାସରେ ସରକାରୀ କୋଷାଗାରରେ ୮୩ କୋଟି ଜମା କରିବା ଆଶା କରାଯାଉଥିଲା, କିନ୍ତୁ ସରକାରଙ୍କୁ କେବଳ ୨ ରୁ ୫ କୋଟି ଟଙ୍କା ଦେଖାଯାଇଥିଲା । ବାକି ଟଙ୍କା ଏହି ୩୫ ବସ୍ତା ଭିତରେ ଲୁଚାଇ ରଖାଯାଇଥିଲା । ପୋଲିସ ଏହି ମାମଲାରେ ମୀନାର ଏବଂ ତାଙ୍କ ପୁଅକୁ ଗିରଫ କରିଛି । ଏହାପରେ ସେମାନଙ୍କର ଅନ୍ୟ ଠିକଣା ବିଷୟରେ ପଚରାଉଚରା କରାଯାଉଛି । ପୋଲିସ ଏସବୁକୁ ଜବତ କରି ଏହାର ତଦନ୍ତ କରୁଛି ।

SBI AD