ଭୁବନେଶ୍ୱର ୨୦/୦୯ : କିଏ ହେବେ ଭୁବନେଶ୍ବର ଡିସିପି। ଚର୍ଚ୍ଚାରେ ୭ ଯୁବ IPSଙ୍କ ନାଁ। ଆଗରେ ବ୍ରହ୍ମପୁର ଏସପି ଶ୍ରବଣା ବିବେକ, ରାଉରକେଲା ଏସପି ନୀତେଶ ୱଧୱାନି ବି ଚର୍ଚ୍ଚାରେ। ସରପ୍ରାଇଜ ଚେହେରା ବି ସାମ୍ନାକୁ ଆସିପାରେ। ଜଗମୋହନ ମୀନାଙ୍କ ଇସ୍ତଫା ଗୃହିତ ହେବା ପରେ କିଏ ହେବେ ଭୁବନେଶ୍ବରର ପରବର୍ତ୍ତୀ ଡିସିପି ତାକୁ ନେଇ ଚର୍ଚ୍ଚା। କେନ୍ଦ୍ର ସରକାର ମୀନାଙ୍କ ଇସ୍ତଫା ମଞ୍ଜୁର କରିବା ପରେ ଏବେ ଯେକୌଣସି ସମୟରେ ତାଙ୍କୁ ରିଲିଭ କରାଯାଇପାରେ। ପାର୍ବଣ ଋତୁ ଆରମ୍ଭ ହୋଇଯାଇଥିବାରୁ ଏବଂ ଆଗକୁ ଦୁର୍ଗା ପୂଜା ଥିବାରୁ ରାଜ୍ୟ ସରକାର ତୁରନ୍ତ ନୂଆ ଭୁବନେଶ୍ବର ଡିସିପି ନିଯୁକ୍ତି କରିପାରନ୍ତି। ସବୁବେଳେ ଜଣେ ଅଭିଜ୍ଞ ଏବଂ ସବୁଦିଗରୁ ଦକ୍ଷ ଯୁବ ଆଇପିଏସଙ୍କୁ ଭୁବନେଶ୍ବର ଡିସିପି ଭାବେ ନିଯୁକ୍ତ କରାଯାଇଥାଏ। ଏଭଳି ଅବସ୍ଥାରେ କିଏ ହେବେ ଭୁବନେଶ୍ବରର ପରବର୍ତ୍ତୀ ଡିସିପି ତାକୁ ନେଇ ଆରମ୍ଭ ହୋଇଯାଇଛି ଚର୍ଚ୍ଚା ଆଲୋଚନା।
ଚର୍ଚ୍ଚାର ସବୁଠୁ ଆଗରେ ରହିଛନ୍ତି ବ୍ରହ୍ମପୁର ଏସପି ଶ୍ରବଣା ବିବେକ. ଏମ୍। ୨୦୧୫ ବ୍ୟାଚ ଆଇପିଏସ ଶ୍ରବଣା ବିବେକଙ୍କର ଜଣେ ଦକ୍ଷ ଆଇପିଏସ ଭାବେ ସାରା ରାଜ୍ୟରେ ପରିଚୟ ରହିଛି। ବ୍ରହ୍ମପୁର ବହୁ ଚର୍ଚ୍ଚିତ ପୀତବାସ ପଣ୍ଡା ହତ୍ୟା ମାମଲାରେ ତାଙ୍କ ତ୍ବରିତ କାର୍ଯ୍ୟାନୁଷ୍ଠାନକୁ ସବୁ ମହଲରୁ ପ୍ରଶଂସା କରାଯାଇଥିଲା।ଡାକ୍ତର ଭାବେ କ୍ୟାରିୟର ଆରମ୍ଭ କରିଥିବା ଶ୍ରବଣା ବିବେକ ପୂର୍ବରୁ ରାୟଗଡ଼ା ଏସପି ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି।
ରାଉରକେଲା ଏସପି ନୀତେଶ ୱଧୱାନୀଙ୍କ ନାଁ ବି ଚର୍ଚ୍ଚାରେ ରହିଛି।୨୦୧୮ ବ୍ୟାଚ ଆଇପିଏସ ୱାଧୱାନୀ ମିନି ଇଣ୍ଡିଆ ଭାବେ ପରିଚିତ ରାଉରକେଲା ସହରର ଆନଶୃଙ୍ଖଳା ରକ୍ଷା ଦିଗରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି।ପୂର୍ବରୁ ସେ ମାଲକାନଗିରି ଏସପି ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି। ସେହିପରି ୨୦୧୫ ବ୍ୟାଚର ଆଇପିଏସ ତଥା ଅନୁଗୁଳ ଏସପି ଭାବେ କାର୍ଯ୍ୟରତ ରାହୁଲ ଜୈନ ବି ଭୁବନେଶ୍ବର ଡିସିପି ରେସରେ ଅଛନ୍ତି।ହୋମ ଷ୍ଟେଟ କ୍ୟାଡରର ରାହୁଲ ଜୈନ ପୂର୍ବରୁ ଦେବଗଡ଼, ଝାରସୁଗୁଡ଼ା ଏବଂ ନୟାଗଡ଼ ଏସପି ଭାବେ କାର୍ଯ୍ୟ କରିଛନ୍ତି।
ବିଦାୟୀ ଡିସିପି ଜଗମୋହନ ମୀନାଙ୍କ ବ୍ୟାଚମେଟ୍ ୨୦୧୩ର ପରମାର ସ୍ମିଥଙ୍କ ନାଁ ବି ଚର୍ଚ୍ଚାରେ ରହିଛି।ଏବେ ଖୋର୍ଦ୍ଧା ଏସପି ଭାବେ କାର୍ଯ୍ୟରତ ପରମାର ସ୍ମିଥ ପୂର୍ବରୁ ମୟୂରଭଂଜ ଏବଂ ଝାରସୁଗୁଡ଼ା ଏସପି ଭାବେ କାର୍ଯ୍ୟ କରିଛନ୍ତି।ଏବେ ସିଲେକ୍ସନ ଗ୍ରେଡରେ ଥିବା ପରମାର ସ୍ମିଥ ଆଉ କିଛି ମାସ ପରେ ଡିଆଇଜି ଭାବେ ପଦୋନ୍ନତି ପାଇବା ସମ୍ଭାବନା ରହିଛି। ଏମାନଙ୍କ ବ୍ୟତୀତ କଟକ ଡିସିପି ଋଷିକେଶ ଖିଲାରୀ, ନୟାଗଡ଼ ଏସପି ଶୁଭେନ୍ଦୁ ପାତ୍ର ଏବଂ ଢେଙ୍କାନାଳ ଏସପି ଅଭିନବ ସୋନକାରଙ୍କ ନାଁ ବି ଚର୍ଚ୍ଚାରେ ରହିଛି।ତେବେ ଏମାନଙ୍କ ମଧ୍ୟରୁ କାହାକୁ ନିଯୁକ୍ତି ଦିଆଯାଉଛି ନାଁ ଅନ୍ୟ କେହି ଡାର୍କହର୍ସ ଭୁବନେଶ୍ବର ଡିସିପି ହେଉଛନ୍ତି ତାହା ଆଗାମୀ ଦିନରେ ସ୍ପଷ୍ଟ ହୋଇଯିବ।