ବିବାହ ପ୍ରତି ବିମୁଖ ଭାରତୀୟ ଯୁବତୀ , ଜାଣନ୍ତୁ କାରଣ …

ଭୁବନେଶ୍ୱର: ଝିଅ ଜନମ ପର ଘରକୁ। ଓଡ଼ିଶାର ଘରେ ଘରେ ପରିଚିତ କଥାଟା ଶୁଣି ଶୁଣି ଆମେ ବଡ଼ ହୋଇଛେ । ଝିଅଟି ବଡ଼ହେଲେ ବିବାହ କରି ଶାଶୁଘର ଚାଲିିଯିବ । ଶାଶୁଘର ହେବ ତା ପରିଚୟ । ଗୋତ୍ର ବଦଳିଯିବ, ସାଙ୍ଗିଆ ବଦଳିଯିବ, ବାପଘରର ସବୁକିଛି ବଦଳିଯିବ । ସ୍ୱାମୀ ହିଁ ହେବ ତା’ର ଏକମାତ୍ର ପରିଚୟ ।

ତେବେ ସମୟ ଏବେ କଡ଼ ଲେଉଟାଇଛି । ଭାରତୀୟ ଯୁବତୀମାନଙ୍କଠାରେ ଦେଖା ଦେଇଛି ଏକ ଅଦ୍ଭୁତ ପରିବର୍ତନ । ବାହା ହେଇ କାହାର ସ୍ତ୍ରୀ, କାହାର ମା, କାହାର ବୋଲକରା ହେବା ପରିବର୍ତେ ସେମାନେ ଏବେ ଅବିବାହିତ ରହିବାକୁ ପସନ୍ଦ କଲେଣି । ବିଭିନ୍ନ ସର୍ଭେରୁ ମିଳିଥିବା ତଥ୍ୟରୁ ଏକଥା ସ୍ପଷ୍ଟ ହେବାରେ ଲାଗିଛି । ଘର ସଂସାର କରି ଗୃହିଣୀ ହେବା ପରିବର୍ତେ, ସେମାନେ ଏକା ଏକା ଆର୍ଥିକ ସ୍ୱାବଲମ୍ବୀ ହୋଇ ବଂଚିବାକୁ ବେଶି ପସନ୍ଦ କରୁଛନ୍ତି । ନ୍ୟାସନାଲ ଷ୍ଟାଟିଷ୍ଟିକାଲ ସର୍ଭେରୁ ମିଳିଥିବା ତଥ୍ୟ ଅନୁସାରେ ୨୦୧୧ ବେଳକୁ ଭାରତରେ ଅବିବାହିତ ମହିଳାମାନଙ୍କ ସଂଖ୍ୟା ୧୩.୫% ଥିବ ବେଳୋ ୨୦୨୧ ବେଳକୁ ତାହା ୧୯.୯%କୁ ବୃଦ୍ଧି ପାଇଥିଲା । ପରବର୍ତୀ ସୟରେ ଏହି ସଂଖ୍ୟା ଦ୍ରୁତ ଗତିରେ ବଢିଥିବା ଜଣାପଡିଛି ।

ସ୍ୱତଃ ମନକୁ ପ୍ରଶ୍ନ ଆସେ କ’ଣ ପାଇଁ ମହିଳାମାନଙ୍କ ମଧ୍ୟରେ ବିବାହ ପାଇଁ ଏଭଳି କୁଣ୍ଠା ? ଉତରରେ କୁହାଯାଇପାରେ, ମହିଳାମାନଙ୍କ ମଧ୍ୟରେ ଆର୍ଥିକ ଓ ମାନସିକ ସ୍ୱାଧୀନତା ପାଇଁ ବ୍ୟାକୁଳତା ଏଥିପାଇଁ ମୁଖ୍ୟତଃ ଦାୟୀ । ବିବାହ କଲେ ପିଲା ଜନ୍ମ କରିବାକୁ ପଡିବ, ସନ୍ତାନର ଲାଳନ ପାଳନ କରିବାକୁ ପଡିବ । ଏଥିପାଇଁ ଅର୍ଥର ଆବଶ୍ୟକତା ପଡିବ । ନିଜେ ରୋଜଗାର କରୁ ନ ଥିଲେ ସ୍ୱାମୀଙ୍କ ଉପରେ ଏଥିପାଇଁ ଅଯଥାରେ ନିର୍ଭର କରିବାକୁ ପଡିବ, ଯାହା ମହିଳାମାନଙ୍କୁ ଆଉ ପସନ୍ଦ ହେଉନାହିଁ । ବିବାହ କରି ଜଂଜାଳ ମଧ୍ୟରେ ପଡିବା ପରିବର୍ତେ ସେମାନେ ଅବିବାହିତ ରହି ନିଜ ଜୀବନକୁ ନିଜ ଇଚ୍ଛାରେ ପରିଚାଳନା କରିବାକୁ ବେଶି ପସନ୍ଦ କରୁଛନ୍ତି ।

ଘରୋଇ କାମର ବୋଝକୁ ନେଇ ମହିଳାମାନଙ୍କ ଭିତରେ ଏକ ଅଦୃଶ୍ୟ ଅସନ୍ତୋଷ କାହିଁ କେଉଁ କାଳରୁ ଦାନା ବାନ୍ଧି ରହିଅଛି । କାହିଁକି ବା ନ ରହିବ! ଘରେ ଥିବା ନିଜ ପ୍ରତିପକ୍ଷ ଅର୍ଥାତ ପୁରୁଷମାନଙ୍କ ତୁଳନରେ ସେମାନେ ଯଥେଷ୍ଟ ଅଧିକ ଘରୋଇ କାମ କରିଥାନ୍ତି, ଯାହା ପାଇଁ ସେମାନଙ୍କୁ ସାମାନ୍ୟ ବି ଆର୍ଥିକ ଲାଭ ବା ଅନୁକଂପା ମିଳି ନ ଥାଏ । ୨୦୧୯ ମସିହା ଇଣ୍ଡିଆ ଟାଇମ୍ ତଥ୍ୟ ଅନୁସାରେ ମହିଳାମାନେ ଦିନକୁ ୨୯୯ ମିନିଟ ଘର କାମ କରୁଥିବା ବେଳେ ଦିନକୁ ପୁରୁଷ କରିଥାନ୍ତି ମାତ୍ର ୯୭ ମିନିଟ କାମ । ପରିବାର ସଦସ୍ୟମାନଙ୍କ ଯତ୍ନ ପାଇଁ ମହିଳାମାନେ ଦୈନିକ ୧୩୪ ମିନିଟ ସମୟ ଦେଉଥିବା ବେଳେ ପୁରୁଷମାନେ ଦେଇଥାନ୍ତି ମାତ୍ର ୭୬ ମିନିଟ୍ । ସବୁଠୁ ବଡ଼କଥା ହେଲା, ଏହି କାମ ପାଇଁ ମହିଳାମାନଙ୍କୁ ସାମାନ୍ୟ ବି ପ୍ରାପ୍ୟ ମିଳି ନ ଥାଏ, ଯାହାକୁ ନେଇ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ମହଲରେ ଚର୍ଚ୍ଚା ମଧ୍ୟ ହୋଇଥାଏ । କର୍ମଜୀବୀ ମହିଳାମାନଙ୍କ କ୍ଷେତ୍ରରେ ତ ପରିସ୍ଥିତି ଆହୁରି ଜଟିଳ । ଅଫିସରେ କଡା ଗଣ୍ଡା ୮ ଘଂଟାର କାମ କରିବା ପରେ ବି ଘରକୁ ଫେରିବା ପରେ ସେମାନଙ୍କୁ ଅନେକ ଘର କାମ କରିବାକୁ ପଡିଥାଏ । ତେଣୁ ବିବାହ ଜଞ୍ଜାଳ ଭିତରେ ପଶି ଖଟି ଖଟି ନୟାନ୍ତ ହେବା ପରିବର୍ତେ ଏକୁଟିଆ ରହିବାଟା ଢେର ଗୁଣ ଭଲ ବୋଲି ଆଜିକା ଯୁବତୀମାନଙ୍କ ଭିତରେ ଧାରଣା ଦୃଢୀଭୂତ ହେବାରେ ଲାଗିଛି ।

ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟର ତଥ୍ୟ ଅନୁଯାୟୀ ୧୯୯୨-୯୩ ମସିହା ବେଳକୁ ୨୦-୪୯ ବର୍ଷ ବୟସ ମଧ୍ୟରେ ଥିବା ମହିଳାମାନଙ୍କ ହାରାହାରି ବିବାହ ବୟସ ୧୬.୨ ବର୍ଷ ଥିବା ବେଳେ ୨୦୧୯-୨୧ ବେଳକୁ ତାହା ୧୯.୩ କୁ ବୃଦ୍ଧି ପାଇଛି । ଠିକ୍ ସେମିତି ୧୯୯୨-୯୩ ବେଳକୁ ୧୮ ବର୍ଷରୁ କମ୍ ଯୁବତୀମାନଙ୍କ ବିବାହ ପ୍ରତିଶତ ୬୬% ଥିବା ବେଳେ ୨୦୧୯-୨୧ ବେଳକୁ ତାହା ୨୩.୨%କୁ ଖସି ଆସିଛି । ଏଥିରୁ ସଂକେତ ମିଳେ ଯେ, ଝିଅମାନେ ଆଉ ଶୀଘ୍ର ବିବାହ କରି ନିଜକୁ ଘରୋଇ କାମରେ ଆବଦ୍ଧ କରି ରଖିବାକୁ ଚାହୁଁନାହାନ୍ତି ।

ମୋର୍ଗାନ ଷ୍ଟେନ୍‌ଲେ ନାମକ ଏକ ପ୍ରତିଷ୍ଠିତ ସର୍ଭେକ୍ଷଣ ସଂସ୍ଥାର ରିପୋର୍ଟ ଅନୁଯାୟୀ ଆମେରିକା ଯୁବତୀମାନଙ୍କ ମଧ୍ୟରେ ବିବାହ ଓ ସାଂସରିକ ଜୀବନକୁ ନେଇ ଯେଉଁ ନକରାତ୍ମକ ଧାରଣା ସୃଷ୍ଟି ହୋଇଛି, ତାହା ବଳବତର ରହିଲେ୨୦୩୦ ବେଳକୁ ୨୪ରୁ ୪୫ ବୟସ ମଧ୍ୟରେ ଥିବା ୪୫% ମହିଳା ଅବିବାହିତ ରହିଯିବେ । ୨୦୧୮ରେ ଏହା ୪୧% ରହିଛି ।

ଯଦିଓ ଆମେରିକା ସଂସ୍କୃତି ଓ ଭାରତୀୟ ସଂସ୍କୃତି ଅନେକାଂଶରେ ଭିନ୍ନ, ଆମେରିକୀୟମାନଙ୍କ ଆର୍ଥିକ ଅବସ୍ଥା ଭାରତୀୟାମାନଙ୍କ ସହ ତୁଳନା କରିବା ଅନୁଚିତ, ତେବେ ଭାରତୀୟ ମହିଳାମାନଙ୍କ ଭିତରେ ବିବାହ ପ୍ରତି ଦେଖା ଦେଇଥିବା ଏହି ବୈରାଗ୍ୟ ଯେ ସାମାଜିକ ସନ୍ତୁଳନ ପାଇଁ ଏକ ଆହ୍ୱାନ, ତାହା ବିଚାର କରିବାର ବେଳ ଆସିଛି ।