ଡିସେମ୍ବର ପ୍ରଥମ ସପ୍ତାହରେ ବସିପାରେ ସଂସଦର ଶୀତ ଅଧିବେଶନ

ନୂଆଦିଲ୍ଲୀ, ୧୬/୧୧ : ସଂସଦରେ ଆରମ୍ଭ ହେବ ଶୀତ ଅଧିବେଶନ । ଆସନ୍ତା ଡିସେମ୍ବର ପ୍ରଥମ ସପ୍ତାହରେ ବସିପାରେ ଶୀତ ଅଧିବେଶନ । ଡିଲିମିଟେସନ୍ ଓ ଏହି ବିଲ୍ ସହ ଜଡ଼ିତ ସଂଶୋଧିତ ମହିଳା ସଂରକ୍ଷଣ ବିଲ ରହିବ ଆଲୋଚନାର ମୁଖ୍ୟ ପ୍ରସଙ୍ଗ । ଏହି ବିଲ ପାରିତକୁ ନେଇ ଗୃହରେ ଉଭୟ ଶାସକ ଓ ବିରୋଧୀଙ୍କ ମଧ୍ୟରେ ସୃଷ୍ଟି ହୋଇପାରେ ବଡ଼ ହଙ୍ଗାମା । ସେହିପରି SIR ଅନିୟମିତତାକୁ ଆଉ ଏକ ଅସ୍ତ୍ର କରିପାରନ୍ତି ବିରୋଧୀଦଳ ।ଲୋକସଭାର ଆସନ ସଂଖ୍ୟା ବର୍ତ୍ତମାନର ୫୪୩ରୁ ସର୍ବାଧିକ ୮୫୦ ପର୍ଯ୍ୟନ୍ତ ବୃଦ୍ଧି କରାଯାଇପାରେ। ଏହା ସହିତ ଲୋକସଭା ଓ ରାଜ୍ୟ ବିଧାନସଭାଗୁଡ଼ିକରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ଆସନ ସଂରକ୍ଷଣ ଲାଗୁ କରିବାକୁ ଯୋଜନା ରହିଛି। ତେବେ ଏହି ବିଲ୍ ପାସ୍ କରାଇବା କେନ୍ଦ୍ର ସରକାରଙ୍କ ପାଇଁ କଷ୍ଟକର ସାବ୍ୟସ୍ତ ହେବ। କାରଣ ସଂସଦରେ ସ୍ୱତନ୍ତ୍ର ବହୁମତର ଆବଶ୍ୟକତା ଥିବା ବେଳେ ଏନଡିଏର ସଦସ୍ୟ ସଂଖ୍ୟା ପ୍ରାୟ ୩୨୦ ରହିଛି। ଏଥିପାଇଁ ଅନ୍ୟ ଦଳଗୁଡ଼ିକର ସମର୍ଥନ ଆବଶ୍ୟକ। ଯାହାକୁ ବିରୋଧୀ ଦଳ ସମର୍ଥନ ଦେଇ ନପାରନ୍ତି ବୋଲି କୁହାଯାଉଛି। ତେବେ ଶୀତ ଅଧିବେଶନ ନେଇ ନିର୍ଦ୍ଦିଷ୍ଟ ତାରିଖ ଘୋଷଣା ହୋଇ ନ ଥିଲେ ମଧ୍ୟ ଏନେଇ ଉଚ୍ଚସ୍ତରୀୟ ଆଲୋଚନା ଜାରି ରହିଥିବା ସୂଚନା ମିଳିଛି।