ଜିମ୍ବାୱେ : ଆଫ୍ରିକୀୟ ଦେଶ ଜିମ୍ବାୱେରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୨୭ ଜଣ ଚର୍ଚ୍ଚ ସଦସ୍ୟ ମୃତ୍ୟୁବରଣ କରିଥିବା ବେଳେ ୧୦ରୁ ଅଧିକ ଗୁରୁତର ଆହତ ହୋଇଛନ୍ତି । ରାଜଧାନୀ ହାରାରେଠାରୁ ପ୍ରାୟ ୧୪୦ କିମି ଦୂର ଛିବୁ ଅଂଚଳରେ ଏହି ଦୁର୍ଘଟଣା ଘଟିଛି । ଶୁକ୍ରବାର ଏକ ଧର୍ମିକ ସମ୍ମିଳନୀରେ ଯୋଗଦେବାକୁ ସ୍ଥାନୀୟ ଏକ ଚର୍ଚ୍ଚର କିଛି କର୍ମକର୍ତା ଏକ ମିନିବସ୍ ଯୋଗେ ଯାଉଥିବା ବେଳେ ବିପରୀତ ଦିଗରୁ ଆସୁଥିବା ଏକ ଟ୍ରକ୍ ଅନ୍ୟ ଏକ ଗାଡ଼ିକୁ ଓଭରଟେକ କରିବାକୁ ଯାଇ ମିନିବସ୍ଟିକୁ ଧକ୍କା ଦେଇଥିଲା । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ଘଟଣାସ୍ଥଳରେ ହିଁ ୨୭ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଥିଲା । ୧୦ରୁ ଅଧିକ ବ୍ୟକ୍ତି ସ୍ଥାନୀୟ ଏକ ଡାକ୍ତରଖାନାରେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି ।
ଉଲ୍ଲେଖଯୋଗ୍ୟ ଯେ, ଜିମ୍ବାୱେରେ ରାସ୍ତାଘାଟ ମରାମତି ଓ ରକ୍ଷଣାବେକ୍ଷଣ ଅଭାବରୁ ଅତ୍ୟନ୍ତ ଖରାପ ହୋଇପଡିଛି । ଅଧିକାଂଶ ରାସ୍ତାରେ ପିଚୁ ଉଠିଯାଇ ବଡ଼ବଡ଼ ଗର୍ତ ସୃଷ୍ଟି ହୋଇଛି । ଫଳରେ ସବୁବେଳେ ଏଠାରେ ଦୁର୍ଘଟଣା ଘଟୁଛି । ଯାତାୟାତ ପାଇଁ ଦେଶର ଅଧିକାଂଶ ନାଗରିକ ଘରୋଇ ଭାବେ ଚାଲୁଥିବା ମିନିବସ୍ ବା ‘କୋମ୍ବି’ ଉପରେ ନିର୍ଭର କରିଥାନ୍ତି । ତେବେ ଏହି ମିନିବସ୍ଗୁଡିକ ଅନେକ ସମୟରେ କ୍ଷମତାଠାରୁ ଅଧିକ ଯାତ୍ରୀ ପରିବହନ କରିଥାନ୍ତି, ଯାହାର ପରିଣାମ ସ୍ୱରୂପ ଦୁର୍ଘଟଣା ଘଟିଲେ ଏକାଥରକେ ଅନେକ ଲୋକ ମୃତାହତ ହେଉଛନ୍ତି । ଗତ ଏପ୍ରିଲ ୧୮ ତାରିଖରେ ଏକ ଭୟଙ୍କର ଦୁର୍ଘଟଣା ଘଟିଥିଲା ଯେଉଁଥିରେ ୧୮ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା ।