ପୁରୀ, ୨୮/୧୨: ଶ୍ରୀମନ୍ଦିରରେ ଦୀର୍ଘ ସମୟ ଧରି ଅଚଳାବସ୍ଥା ଲାଗି ରହିବା ପରେ ଏବେ ସ୍ଥିତି ସ୍ୱାଭାବିକ ହୋଇଛି। ପ୍ରାୟ ୧୦ ଘଣ୍ଟା ପରେ ଶ୍ରୀମନ୍ଦିର ଭିତର କବାଟ ଖୋଲାଯାଇଛି। ସେବାୟତଙ୍କ ଦ୍ୱାରା ଶ୍ରୀଜୀଉଙ୍କ ନୀତିକାନ୍ତି ଆରମ୍ଭ ହୋଇଯାଇଛି। ଏ ନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର ।
ପୁରୀ ଜିଲ୍ଲାପାଳ ଜ୍ୟୋତିପ୍ରକାଶ ଦାଶ କହିଛନ୍ତି ଯେ ବର୍ତ୍ତମାନ ଶ୍ରୀମନ୍ଦିର ଭିତର ଦ୍ୱାର ଖୋଲାଯିବା ସହ ମହାପ୍ରଭୁଙ୍କ ନୀତିକାନ୍ତି ଆରମ୍ଭ ହୋଇଯାଇଛି। ଭକ୍ତଙ୍କ ଦର୍ଶନକୁ ଦୃଷ୍ଟିରେ ରଖି ଆଜି ବିଳମ୍ବିତ ରାତି ପର୍ଯ୍ୟନ୍ତ ଶ୍ରୀମନ୍ଦିର ଦ୍ୱାର ଖୋଲାରହିବ। ଭକ୍ତମାନେ ଯେପରି ଶୃଙ୍ଖଳିତ ଭାବେ ଶ୍ରୀଜୀଉଙ୍କୁ ଦର୍ଶନ କରିବେ ସେଥିପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି। ଅନ୍ୟପକ୍ଷେ ସେବାୟତ ଓ ପୋଲିସଙ୍କ ମଧ୍ୟରେ ଉପୁଜିଥିବା ବିବାଦ ପାଇଁ ସମାଧାନ କରାଯାଉଥିବା ଜିଲ୍ଲାପାଳ କହିଛନ୍ତି।
ସୂଚନାଯୋଗ୍ୟ, ଶ୍ରୀମନ୍ଦିରରେ ସେବାୟତ ଓ ପୋଲିସ୍ ମଧ୍ୟରେ ବିବାଦ ଯୋଗୁଁ ଶ୍ରୀମନ୍ଦିରରେ ଅଚଳାବସ୍ଥା ସୃଷ୍ଟି ହୋଇଥିଲା। ଫଳରେ ଶ୍ରମନ୍ଦିର କବାଟ ବନ୍ଦ ରହିଥିଲା । ଫଳରେ ଶ୍ରୀଜୀଙ୍କ ନୀତିକାନ୍ତି ହୋଇପାରିନଥିଲା। ମଙ୍ଗଳ ଆଳତି ହୋଇ ନ ଥିବାବଳେ ଶ୍ରୀଜୀଉ ଉପବାସରେ ରହିଥିଲେ। ଶ୍ରୀମନ୍ଦିରର ଭିତର ଦ୍ୱାର ଖୋଲି ନ ଥିବାରୁ ଭକ୍ତମାନେ ଅସନ୍ତୋଷ ପ୍ରକାଶ କରିବା ସହ ବ୍ୟାରିକେଡ ଭାଙ୍ଗି ଧଶେଇ ପଶିଥିଲେ। ତେବେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ସେବାୟତଙ୍କ ଆଲୋଚନା ପରେ ଦ୍ୱାର ଖୋଲାଯାଇଥିବା ସୂଚନା ମିଳିଛି।