ନୂଆଦିଲ୍ଲୀ,୨୫/୧୧: ଭାରତୀୟ ଦଳ ପ୍ରଥମ ଐତିହାସିକ ଗୋଲାପୀ ବଲ ଟେଷ୍ଟ ମ୍ୟାଚରେ ବାଂଲାଦେଶକୁ ଇନିଂସ ଓ ୪୬ ରନରେ ମାତ୍ ଦେଇଛି। ଏହା ସହିତ ଭାରତ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ଶୃଙ୍ଖଳାକୁ ୨-୦ରେ ଜିତି ନେଇଛି। କିନ୍ତୁ କୋଲକାତାର ଇଡ଼େନ ଗାର୍ଡ଼େନରେ ଖେଳାଯାଇଥିବା ଗୋଲାପୀ ବଲ ଟେଷ୍ଟକୁ ଭାରତ ମାତ୍ର ୨ ଦିନ ୪୭ ମିନିଟରେ ଜିତି ନେଇଛି। ଫଳରେ ଦୁଇ ଦିନ ପୂର୍ବରୁ ମ୍ୟାଚ୍ ଶେଷ ହୋଇ ଯାଇଛି। ମାତ୍ର ଦର୍ଶକ ପୂରା ପାଞ୍ଚ ଦିନ ଲାଗି ଟିକେଟ୍ କାଟିଥିଲେ। ଏବେ ବାକି ଦୁଇ ଦିନର ଅର୍ଥ ପଶ୍ଚିମବଙ୍ଗ କ୍ରିକେଟ୍ ସଙ୍ଘ ଦର୍ଶକଙ୍କୁ ଫେରାଇ ଦେବାକୁ ନିଷ୍ପତ୍ତି ନେଇଛି। ଏହାର ସୂଚନା ସଂଘ ସୋମବାର ଟ୍ଵିଟ୍ ଜରିଆରେ ଦେଇଛି।
ଉଲ୍ଲେଖଯୋଗ୍ୟ, ଖେଳର ଦ୍ଵିତୀୟ ଦିନ ହିଁ ବାଂଲାଦେଶ ତୃତୀୟ ଦିନରେ ମ୍ୟାଚ୍ ହାରିବ ବୋଲି ସ୍ଥିର ହୋଇ ସାରିଥିଲା। ବାଂଲାଦେଶ ଦ୍ଵିତୀୟ ଦିନରେ ୬ ଓ୍ଵିକେଟରେ ୧୫୨ ରନ କରିଥିଲା। ରବିବାର ମାତ୍ର ୪୭ ମିନିଟର ଖେଳରେ ଭାରତ ବିଜୟ ହାସଲ କରିଥିଲା। କିନ୍ତୁ ଦର୍ଶକ ଭାରତର ପ୍ରଥମ ଦିବାରାତ୍ର ଟେଷ୍ଟର ମଜା ଉଠାଇବା ଲାଗି ପାଞ୍ଚ ଦିନର ଟିକେଟ୍ ମଧ୍ୟ କିଣିଥିଲେ। କିନ୍ତୁ ଖେଳ ଚତୁର୍ଥ ଦିନକୁ ମଧ୍ୟ ଯାଇ ପାରିନଥିଲା। ଫଳରେ ସିଏବି ଟିକେଟ୍ କାଟିଥିବା ଦଶର୍କଙ୍କୁ ବାକି ଦୁଇ ଦିନର ଅର୍ଥ ଫେରାଇବାକୁ ନିଷ୍ପତ୍ତି ନେଇଛି। ଭାରତ ନିଜର ଘରୋଇ ମାଟିରେ କ୍ରମାଗତ ୧୨ତମ ଶୃଙ୍ଖଳା ଜିତିଛି। ଅନ୍ୟପଟେ ବିରାଟ କୋହଲିଙ୍କ ଅଧିନାୟକତ୍ଵରେ ଭାରତ କ୍ରମାଗତ ସପ୍ତମ ଶୃଙ୍ଖଳା ଜିତିଛି।
ଏହା ସହିତ ଭାରତ କ୍ରମାଗତ ୪ଟି ଟେଷ୍ଟରେ ଇନିଂସ ବିଜୟ ହାସଲ କରିଛି। ଏହା ପୂର୍ବରୁ ଦୁନିଆର କୌଣସି ଦଳ ଏମିତି ସଫଳତା ପାଇ ନାହାନ୍ତି। ଭାରତ ବାଂଲାଦେଶ ବିପକ୍ଷରେ ଦୁଇଟି ମ୍ୟାଚରେ ଇନିଂସ ବିଜୟ ହାସଲ ପୂର୍ବରୁ ଦକ୍ଷିଣ ଆଫ୍ରିକାକୁ ରାଞ୍ଚି ଓ ପୁଣେରେ କ୍ରମାଗତ ଦୁଇଟି ମ୍ୟାଚରେ ଇନିଂସରେ ହରାଇଥିଲା।