ନୂଆଦିଲ୍ଲୀ, ୧୫/୧୧: ପୂର୍ବତନ ପାକିସ୍ତାନୀ କ୍ରିକେଟର ଶାହିଦ ଆଫ୍ରିଦି କଶ୍ମୀରକୁ ନେଇ ଏକ ବଡ ବୟାନ ଦେଇଛନ୍ତି । ପୂର୍ବରୁ ମଧ୍ୟ ସେ କାଶ୍ମୀରକୁ ନେଇ ବୟାନ ଦେଇଥିବା ବେଳେ ଏଥର ଦେଇଥିବା ବୟାନରେ ସେ ପାକିସ୍ତାନ ବିପକ୍ଷରେ କହି ବିବାଦ ଘେରରେ ଫସିଯାଇଛନ୍ତି । କାଶ୍ମୀରକୁ ସମ୍ଭାଳିବା ପାକିସ୍ତାନ ଭଳି ଦେଶ ପକ୍ଷରେ ସମ୍ଭବପର ନୁହେଁ ବୋଲି ଆଫ୍ରିଦିି କହିଛନ୍ତି । ଏକ ସାମ୍ବାଦିକ ସମ୍ମୀଳନୀରେ ଆଫରିଦିଙ୍କ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏଥିରେ ଆଫ୍ରିଦି କହୁଛନ୍ତି କି, ପାକିସ୍ତାନ ନିଜ ଦେଶର ଲୋକଙ୍କୁ ସମ୍ଭାଳି ପାରୁ ନାହିଁ, ସେ କାଶ୍ମୀରକୁ କ’ଣ ସମ୍ଭାଳିବ । ସେ ଆହୁରି ମଧ୍ୟ କହିଛନ୍ତି ଯେ, କାଶ୍ମୀର କୌଣସି ପ୍ରସଙ୍ଗ ନୁହେଁ । ସେଠାକାର ଲୋକମାନଙ୍କୁ ମୁଁ କହିବାକୁ ଚାହୁଁଛି ଯେ, ପାକିସ୍ତାନକୁ କାଶ୍ମୀର ଦରକାର ନାହିଁ । ଭାରତକୁ ମଧ୍ୟ କାଶ୍ମୀର ଦିଅନାହିଁ । କାଶ୍ମୀର ଭିନ୍ନ ଏକ ଦେଶ ହେଉ । ଏପରି କରିବା ଦ୍ୱାରା ସେଠାରେ ମାନବିକତା ତ ବଞ୍ଚି ରହିବ ବୋଲି ସେ କହିଛନ୍ତି । ସୂଚନା ଯୋଗ୍ୟ ଯେ, ଆଫ୍ରିଦି କାଶ୍ମୀରକୁ ନେଇ ପୂର୍ବରୁ ମଧ୍ୟ ବୟାନ ଦେଇଛନ୍ତି । ୨୦୧୭ରେ ସେ ଟ୍ୱିଟ୍କରି କହିଥିଲେ, କିଛି ଦଶନ୍ଧି ଧରି କାଶ୍ମୀର ହିଂସାର ଶିକାର ହୋଇ ଆସୁଛି । କାଶ୍ମୀର ଏକ ସ୍ୱର୍ଗ, ସେଠାକାର ନିରୀହ ଲୋକଙ୍କ ସମସ୍ୟାକୁ ଅଣଦେଖା କରିବା ଅନୁଚିତ ।