ନୂଆ ଭାରତ ସହ ନୂଆ ଓଡିଶା ଗଢିବା ପାଇଁ ସଂକଳ୍ପ ନେବା ଅଟଳଜୀଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେବ : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

0

ଭୁବନେଶ୍ୱର, ୨୫/୧୨: ସାରା ବିଶ୍ୱରେ ଭାରତରତ୍ନ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କର ଖ୍ୟାତି ରହିଥିଲା । ଆଧୁନିକ ଭାରତ ଗଢିବାର ସେ ଥିଲେ ଅନ୍ୟତମ ବିନ୍ଧାଣୀ । ଓଡିଶା ସହ ତାଙ୍କର ବେଶ ସମ୍ପର୍କ ରହିଥିଲା । ପ୍ରଳୟଙ୍କରୀ ମହାବାତ୍ୟାରେ ଓଡିଶା ଛାରଖାର ହୋଇଥିବା ବେଳେ ଓଡିଶାକୁ ନୂଆ କରି ଗଢିବା ପାଇଁ ଅର୍ଥର ଅଭାବ ରହିବ ନାହିଁ ବୋଲି କହି ଚର୍ଚ୍ଚାକୁ ଆସିଥିଲେ ଅଟଳଜୀ । ଆଜି ତାଙ୍କର ଜନ୍ମ ଜୟନ୍ତରୀରେ ନୂଆ ଭାରତ ସହ ନୂଆ ଓଡିଶା ଗଢିବା ପାଇଁ ସଂକଳ୍ପ ନେବା ତାଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଭାରତରତ୍ନ ଅଟଳବିହାରୀ ବାଜପେୟୀଙ୍କ ଜନ୍ମ ଜୟନ୍ତୀ ବା ସୁଶାସନ ଦିବସ ଅବସରରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀ ପ୍ରଧାନ ବାଜପେୟୀଙ୍କ ସ୍ମୁତି ଚାରଣ କରିଥିଲେ । ଓଡିଶାର ବିକାଶ ରଥକୁ ଆଗକୁ ନେବାପାଇଁ ତାଙ୍କର ଢେର ପ୍ରୟାସ ଥିଲା ବୋଲି ସେ କହିଛନ୍ତି । ୯୦ ଦଶକରେ ଯେତେବଳେ କଳାହାଣ୍ଡି ଜିଲାରେ ଭୟଙ୍କର ମରୁଡି ପଡିଥିବା ସମୟରେ ସେ ଟ୍ରେନ୍ ଯୋଗେ ଓଡିଶା ଆସିଥିଲେ । ଭଦ୍ରକରେ ହୋଇଥିବା ଦଙ୍ଗା ସମୟରେ ସେ ମଧ୍ୟ ଓଡିଶାକୁ ଆସିଥିଲେ । ପୁରୀ ଆସିଲେ ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କରିବା ସହ ସମୁଦ୍ର କୂଳରେ ବେଶ ସମୟ ବିତାଉଥିଲେ । ତାଙ୍କର ଓଡିଶା ସହ ବେଶ ଭଲ ସମ୍ପର୍କ ରହିଥିଲା ।

ପାରାଦ୍ୱୀପରେ ହୋଇଥିବା ଅଏଲ ରିଫାଇନାରୀ ହେଉ ଅବା ଏମସ ହେଉ ଓଡିଶାରେ ତିଆରି ହେବା ଅଟଳଜୀଙ୍କ ଥିଲା ପରିକଳ୍ପନା । ସ୍ୱାଧୀନତା ପରେ ଓଡିଶାକୁ ସବୁଠୁ ବଡ ଉପହାର ତାଙ୍କ ସମୟରେ ହିଁ ମିଳିଥିଲା । ସାନ୍ତାଳୀଭାଷାକୁ ସାମ୍ବିଧାନିକ ମାନ୍ୟତା ଦେବା, ଓଡିଶାର ରେଳବିଭାଗର ବିକାଶ ସବୁକ୍ଷେତ୍ରରେ ତାଙ୍କର ଯଥେଷ୍ଟ ଅବଦାନ ରହିଥିଲା ।

Leave A Reply

Your email address will not be published.