ଜୟପୁର, ୧୭/୧୨ : କଂଗ୍ରେସର ବରିଷ୍ଠ ନେତା ଅଶୋକ ଗହଲୋଟ ସୋମବାର ପୂର୍ବାହ୍ନରେ ତୃତୀୟ ଥର ଲାଗି ରାଜସ୍ଥାନର ମୁଖ୍ୟମନ୍ତ୍ରୀ ରୂପେ ଶପଥ ଗ୍ରହଣ କରିଛନ୍ତି । ତାଙ୍କ ସହ ସଚିନ ପାଇଲଟ ମଧ୍ୟ ରାଜସ୍ଥାନର ଉପମୁଖ୍ୟମନ୍ତ୍ରୀ ରୂପେ ଶପଥ ଗ୍ରହଣ କରିଛନ୍ତି । ରାଜ୍ୟପାଳ କଲ୍ୟାଣ ସିଂହ ସେମାନଙ୍କୁ ପଦ ଏବଂ ଗୋପନୀୟତାର ଶପଥ ପାଠ କରାଇଛନ୍ତି । କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ, ପୂର୍ବ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଏବଂ ଅନେକ ବିରୋଧୀ ଦଳର ନେତାଙ୍କ ଉପସ୍ଥିତିରେ ଜୟପୁରର ଐତିହାସିକ ଅଲବର୍ଟ ହଲରେ ଏହି ଦୁଇ ନେତାଙ୍କ ଶପଥ ଗ୍ରହଣ କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଛି । ଅଶୋକ ଗହଲୋଟ ଏବଂ ସଚିନ ପାଇଲଟଙ୍କ ଶପଥ ପାଠ ସମୟରେ ସେମାନଙ୍କ କାର୍ଯ୍ୟକର୍ତ୍ତା ଏବଂ ସମର୍ଥକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଥିଲା ।